କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଆଜି ବି ଧାରଣାରେ ଚାକିରୀ ଆଶାୟୀ । ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେପା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓସେପା କର୍ତ୍ତୃପକ୍ଷ । କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ ।

ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । ଫଟୋ ଯାଂଚ ପରେ ଏବଂ ବାୟୋମେଟ୍ରିକ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥାଏ । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗତକାଲି ମଧ୍ୟ ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।