ଆବାସ ଯୋଜନାରେ ଅନିୟମିତତା ନେଇ ଯାଜପୁରରୁ ଆସିଲା ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳୁନି ଘର । ସେପଟେ ଘରପାଇ ଭଡାରେ ଲଗାଉଛନ୍ତି ହିତାଧିକାରୀ

138

କନକ ବ୍ୟୁରୋ :  ବିକାଶର ଧାରାରେ ନୂଆନୂଆ ପ୍ରକଳ୍ପ ସହ ସଫଳତା ସାଉଁଟୁଛି ଯାଜପୁର ଜିଲ୍ଳା । କିନ୍ତୁ ଆଜି ବି  ସରକାରୀ ଯୋଜନା ଅନେକଙ୍କ ପାଖରେ  ଅପହଂଚ । ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେଉଥିବା ବେଳେ ଥିଲାବାଲା ଓ ଅଯୋଗ୍ୟ ବ୍ୟକ୍ତି ଲାଭ ଉଠାଉଛନ୍ତି । ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ସରକାରୀ ଯୋଜନାରେ ଆବାସଟିଏ ପାଇଁ ଗରିବ ଲୋକ ଚାତକ ପରି ଚାହିଁ ବସିଛି । ଅନ୍ୟପଟେ ଥିଲାବାଲା ଓ ଅଯୋଗ୍ୟ ହିତାଧିକାରୀ ଆବାସକୁ ଭଡା ଓ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇ ଲାଭବାନ ହେଉଛନ୍ତି । କିଏ ଦୋକାନ ଘର କରୁଛି ତ କିଏ ଭଡାରେ ଲଗାଉଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଖଣ୍ଡରା ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ଗରିବ ଖଟିଖିଆ ଚାଳ ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି । ପ୍ରତିମୂହୁର୍ତରେ ଭୟ ଭିତରେ ବଂଚୁଛନ୍ତି । ଆବାସ ଯୋଜନାରେ ଘରଟି ପାଇଁ କହିଲେ, ଟଙ୍କା ନଦେଲେ ଆବାସ ଅସମ୍ଭବ ବୋଲି ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ କହୁଥିବା ଅଭିଯୋଗ ହୋଇଛି ।

ଯାଜପୁର ଜିଲ୍ଲା ମୁଖ୍ୟାଳୟ ନିକଟରେ ରହିଛି ଦଶରଥପୁର ବ୍ଲକର ଖଣ୍ଡରା ପଂଚାୟତ । ଏବେ ଏଠାରେ ମୁଣ୍ଡ ଟେକିଛି ଆବାସ ଅନିୟମିତତା । ସୁଧଗୋବିନ୍ଦ ଗାଁରେ ଯୋଗ୍ୟ ହିତାଧିକାରୀ ଭଙ୍ଗା ଚାଳ ଘରେ ରହୁଥିବା ବେଳେ ସେମାନଙ୍କ ପାଖରେ ପହଂଚି ପାରୁନି ସରକାରୀ ଆବାସ  । ଶହଶହ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରୁ ବଂଚିତ ହେଉଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି ନିୟମ ଅନୁଯାୟୀ ଆବାସ ଯୋଗାଇ ଦିଆଯାଇଛି । କେତେକ ସ୍ଥାନରେ ଅନିୟମିତତାର ଚିତ୍ର ଆସୁଛି ତା’ର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆବାସ ଯୋଜନା ଜରିଆରେ ସମସ୍ତଙ୍କ ମୁଣ୍ଡକୁ ଛାତ ଯୋଗାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ତୃଣମୂଳ ସ୍ତରରେ ରାଜନେତା ଓ ସରକାରୀ ବାବୁୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଗ୍ୟ ଲୋକ ଯୋଜନାରୁ ବଂଚିତ ହେଉଛନ୍ତି । ଅଯୋଗ୍ୟ ଲୋକ ଆବାସ ପାଇ ଭଡା ଲଗାଉଛନ୍ତି । ତେବେ ପ୍ରଶାସନ କେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତା ଉପରେ ସମସ୍ତଙ୍କ ନଜର ।