କନକ ବ୍ୟୁରୋ : ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକର ବଥର୍ଲା ପଂଚାୟତରୁ । ଏଠି ଗରିବ ଲୋକଟିଏ ଖପର ଛପର ଘରେ ରହୁଛନ୍ତି । ପ୍ରତିମୁହୁର୍ତରେ ବିପଦର ଆଶଙ୍କା ରହିଛି, ହେଲେ ପକ୍କା ଘର କରିବାକୁ ଜୁ ନଥିବାରୁ ଅଭାବ ସହ ଜୁଝି ହେଉଛନ୍ତି ବଥର୍ଲା ପଂଚାୟତର ତୀର୍ଥ ସାହୁଙ୍କ ପରିବାର । ପକ୍କା ଘରଟିଏ ପାଇଁ ଅନେକ ଥରେ ପଂଚାୟତ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କେହି ତାଙ୍କ ଦୁଃଖ ବୁଝିନାହାନ୍ତି ।

Advertisment

ସେପଟେ ଏହି ନିର୍ମାଣଧିନ ପକା ଘରକୁ ଦେଖନ୍ତୁ । ଅଭିଯୋଗ ଅନୁସାରେ ଏହି ଘରଟି ଜଣେ ଧନୀ ଲୋକଙ୍କର । ଯାହାଙ୍କର ୮ ଏକର ଚାଷ ଜମି ଓ କୋଠାଘର ରହିଛି । ତାଙ୍କର ଗୋଟିଏ ପୁଅ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ଆଉ ଗୋଟିଏ ପୁଅ ସୁନା ଦୋକାନରେ କାମ କରୁଛନ୍ତି । ତଥାପି ତାଙ୍କୁ ଆବାସ ମିଳିଥିବା ବେଳେ ଦୋକାନ ଉଦେଶ୍ୟରେ ଘରଟି ତିଆରି କରୁଥିବା ଅଭିଯୋଗ କରିଥିଲେ ପୂର୍ବର୍ତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଓ ସ୍ଥାନୀୟ ବାସିନ୍ଦା ।

ବାରମ୍ବାର ଅଭିଯୋଗ ସତ୍ୱେ ପାଟଣାଗଡ ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ ଉଠିଛି । ସେପଟେ ଘର କରୁଥିବା ବ୍ୟକ୍ତି କି ପଂଚାୟତ ଅଧିକାରୀ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।