ନିଜ ନିର୍ବାଚନ ମଣ୍ଡଳୀର ରାସ୍ତାକୁ ହେମାମାଳିନୀଙ୍କ ଗାଲ ସହ ତୁଳନା କରି ଅଡୁଆରେ ମହାରାଷ୍ଟ୍ରର ମନ୍ତ୍ରୀ । ବିବାଦ ବଢିବା ପରେ ମାଗିଲେ କ୍ଷମା ।

120

କନକ ବ୍ୟୁରୋ : ଉଦ୍ଧବ ସରକାରର ମନ୍ତ୍ରୀ ଗୁଲାବ ରାଓ କହିଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା ଡ୍ରିମ ଗର୍ଲ ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ । ଗୁଲାବ ଏପରି କହି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା କିପରି ବିକାଶ ହୋଇଛି କହିବାକୁ ଚାହୁଁଥିଲେ । ହେଲେ ଏପରି ଅରୁଚିକର ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଛନ୍ତି । ହେଲେ ତାଙ୍କର ଏପରି ମନ୍ତବ୍ୟକୁ କିନ୍ତୁ ସମର୍ଥନ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଡ୍ରିମ୍ ଗର୍ଲଙ୍କ ଗାଲକୁ ସଡକ ସହ ତୁଳନା । ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମହାରାଷ୍ଟ୍ରର ମନ୍ତ୍ରୀ । ରବିବାର ଏକ ସଭାରେ ଉଦ୍ଧବ ସରକାରରେ ମନ୍ତ୍ରୀ ତଥା ଶିବସେନା ବିଧାୟକ ଗୁଲାବ ରାଓ ପାଟିଲଙ୍କ ଏହି ମନ୍ତବ୍ୟ ଅଡୁଆ ବଢାଇଛି । କିନ୍ତୁ ଏପରି ମନ୍ତବ୍ୟ ବଲିଉଡର ଡ୍ରିମ ଗର୍ଲ ହେମାଙ୍କ ପ୍ରତି ବିବାଦୀୟ ନୁହେଁ ବରଂ ଏହା ତାଙ୍କ ପ୍ରତି ସମ୍ମାନ ବୋଲି ଯୁକ୍ତି ବାଢିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ମନ୍ତ୍ରୀ ଜଲଗାଁଓ ଜିଲ୍ଲାର ବୋଧବାଡ ପଞ୍ଚାୟତ ନିର୍ବାଚନ ସମୟରେ ଏକ ବୈଠକକୁ ସମ୍ବୋଧନ କରିବା ବେଳେ କହିଥିଲେ ଯଦି ମୋ ନିର୍ବାଚନ ମଣ୍ଡଳୀର ରାସ୍ତା ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ ହୋଇନଥିବ ତାହେଲେ ମୁଁ ଇସ୍ତଫା ଦେଇଦେବି । ଏହି ଆସନରୁ ଦୀର୍ଘ ୩୦ ବର୍ଷ ଧରି ବିଧାୟକ ଥିବା ଏକନାଥ ଖାଡଗେଙ୍କ ଉଦ୍ଦେଶ୍ୟରେ କହିଥିଲେ ମନ୍ତ୍ରୀ ଗୁଲାବରାଓ । ହେଲେ ଏକନାଥଙ୍କୁ ନିଶାନା କରିବାକୁ ଯାଇ ଏବେ ସେ ନିଜର ମନ୍ତବ୍ୟ ପାଇଁ ବିବାଦୀୟ ହୋଇ ପଡିଛନ୍ତି ।

ତେବେ ବିବାଦ ବଢୁଥିବା ଦେଖି ମହାରାଷ୍ଟ୍ର ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନାକର ମନ୍ତ୍ରୀଙ୍କୁ ଜବାବ ତଲବ କରିଛନ୍ତି । ଆଉ ନିଜ ମନ୍ତବ୍ୟ ପାଇଁ ନିଜେ କ୍ଷମା ମାଗିଛନ୍ତି ମନ୍ତ୍ରା ଗୁଲାବ ରାଓ । ସେହିପରି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ହେମାମାଳିନୀ ତଥା ବିଜେପି ସାଂସଦ । ସେ ଏହାକୁ ହାଲୁକା ଭାବରେ ନେଇଛନ୍ତି, ଏପରି ଟ୍ରେଣ୍ଡ କିଛି ବର୍ଷ ପୂର୍ବରୁ ଲାଲୁପ୍ରସାଦ ଯାଦବ ଆରମ୍ଭ କରିଥିଲେ ଯାହାକୁ ଅନ୍ୟମାନେ ଅନୁସରଣ କରୁଛନ୍ତି । ତେବେ ଏହା ଅରୁୁଚିକର ମନ୍ତବ୍ୟ ବୋଲି ସେ କହିଛନ୍ତି । ଦେଶର ରାଜନୀତିରେ ନେତା ବିବାଦୀୟ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏପରି ବିବାଦୀୟ ମନ୍ତବ୍ୟ ଦେଇ ଅନେକ ନେତା ଚର୍ଚ୍ଚାକୁ ଆସିଛନ୍ତି ।