ଇସ୍ପାତ ଶିଳ୍ପର ଲୁହାପଥର ଚିନ୍ତା : ରପ୍ତାନି କଟକଣା ଦାବି କଲା ଇସ୍ପାତ ସଂଘ;ଭାରତୀୟ କଂପାନି କିଣୁନଥିବା ଲୁହାପଥର ରପ୍ତାନି ହେଉଛି

161

କନକ ବ୍ୟୁରୋ : ଦେଶରେ ଖଣି ଲିଜ୍‌ ମାଲିକାନାରେ ପରିବର୍ତ୍ତନ ହେଉଥିବା ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଚୀନ୍‌କୁ ବିପୁଳ ପରିମାଣର ଲୁହାପଥର ରପ୍ତାନି କରାଯାଉଥିବାରୁ ଇସ୍ପାତ କଂପାନିଗୁଡ଼ିକର ବ୍ୟବହାର ପାଇଁ ଲୁହାପଥରର ଘୋର ଅଭାବ ଦେଖାଦେଇଛି। ଏହି ସମସ୍ୟା ବିଷୟରେ ଭାରତୀୟ ଇସ୍ପାତ ସଂଘ ବାଣିଜ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଦୃଷ୍ଟି ଆକର୍ଷଣ କରିଛି । ଲୁହାପଥର ରପ୍ତାନି ଉପରେ କଟକଣା ଲଗାଇବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ସଂଘର ସାଧାରଣ ସମ୍ପାଦକ ଭାସ୍କର ଚାଟାର୍ଜୀ ଜଣାଇଛନ୍ତି ଯେ ଖଣିଜ ବହୁଳ ରାଜ୍ୟଗୁଡ଼ିକରେ ଲୁହା ପଥର ଉତ୍ପାଦନ ହ୍ରାସ ପାଇଛି। ‌ସେଥିପାଇଁ ଇସ୍ପାତ କଂପାନିଗୁଡ଼ିକ ଆବଶ୍ୟକ କଞ୍ଚାମାଲ ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ୍-ଜୁଲାଇରେ ଉତ୍ପାଦନ ଗତବର୍ଷର ସେହି ସମୟ ତୁଳନାରେ ୫୦% କମ୍ ରହିଛି। ଚଳିତ ବର୍ଷ ଏପ୍ରିଲ୍‌-ସେପ୍ଟେମ୍ବରରେ ୪୭ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ହୋଇଛି। ଇସ୍ପାତ କଂପାନିଗୁଡ଼ିକୁ ବଞ୍ଚାଇ ରଖିବାକୁ ହେଲେ ଲୁହାପଥର ରପ୍ତାନି ଉପରେ କଟକଣା ଜାରି କରାଯିବା ଦରକାର ବୋଲି ଅଲ ଇଣ୍ଡିଆ ଇଣ୍ଡକ୍ସନ ଫର୍ଣ୍ଣାସେସ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।

ଆଲୋଚ୍ୟ ସମୟରେ ଲୁହାପଥର ରପ୍ତାନିରେ ୬୩ ପ୍ରତିଶତ ବୃଦ୍ଧି ‌ହୋଇଛି ବୋଲି ଅନ୍ୟ ଏକ ଚିଠିରେ ଇସ୍ପାତ ସଂଘ ସୂଚନା ଦେଇଛି। ଗତ ଦୁଇ ମାସ ଭିତରେ ବିପୁଳ ପରିମାଣର ଲୁହାପଥର ରପ୍ତାନି କରାଯାଇଛି। ବିଶେଷ କରି ଚୀନ୍‌କୁ ତାହା ପଠାଯାଉଛି। ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ୧୩୩% ଅଧିକ ଲୁହାପଥର ରପ୍ତାନି ହୋଇଛି।