କନକ ବ୍ୟୁରୋ : ମହାକାଶ ଅନ୍ୱେଷଣ କ୍ଷେତ୍ରରେ ଭାରତ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆଜି ଇସ୍ରୋରୁ ଲଂଚ ହେବ ଆଇଆରଏନଏସଏସ ୧ ଏଚ୍ ସାଟେଲାଇଟ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଂଟରରୁ ପିଏସଏଲଭି ଏକ୍ସଏଲ ରକେଟ ସହାୟତାରେ ଆଜି ସଂଧ୍ୟା ୭ଟାରେ ଏହାକୁ ଉତକ୍ଷେପଣ କରାଯିବ । ପ୍ରଥମ ଥର ପାଇଁ ଘରୋଇ ସଂସ୍ଥା ଦ୍ୱାରା ନିର୍ମିତ ନେଭିଗେସନ୍ ସାଟେଲାଇଟ୍ ‘ଆଇଆରଏନଏସଏସ-୧ଏଚ୍’ ଆଜି ମହାକାଶକୁ ଉତକ୍ଷେପଣ କରିବ ଇସ୍ରୋ ।

Advertisment

ଏହା ପୂର୍ବରୁ କେବଳ ସାଟେଲାଇଟ ନିର୍ମାଣରେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ ତିଆରି କରୁଥିଲେ ଘରୋଇ କ୍ଷେତ୍ର । ଇସ୍ରୋ ବୈଜ୍ଞାନିକଙ୍କ ସହାୟତାରେ ଏହି ସାଟେଲାଇଟ ନିର୍ମାଣରେ ବାଙ୍ଗାଲୁରୁ ସ୍ଥିତ ଆଲଫା ଡିଜାଇନ ଟେକ୍ନୋଲୋଜିର ୨୫ପ୍ରତିଶତ ଅବଦାନ ରହିଛି । ୭୦ ଜଣ ଇଞ୍ଜିନିୟର କଠିନ ପରିଶ୍ରମ କରି ଏହି ଉପଗ୍ରହ ନିର୍ମାଣ କରିଛନ୍ତି । ସତୀଶ ଧୱନ ସ୍ପେଶ ସେଣ୍ଟରର ଦ୍ୱିତୀୟ ଲଚିଂ ପ୍ୟାଡରୁ ନିଜ ଯାତ୍ରା ଆରମ୍ଭ କରିବ ଆଇଆରଏନଏସଏସ ୧ ଏଚ୍ ।

ନାଭିଗେସନ ସାଟେଲାଇଟର ସିଷ୍ଟମର ଏହା ଅଷ୍ଟମ ସାଟେଲାଇଟ । ୧ହଜାର ୪୨୫କିଲୋଗ୍ରାମ ଓଜନର ଏହି ଉପଗ୍ରହ ଆଇଆରଏନଏସଏସ ୧ ଏ ର ସ୍ଥାନ ନେବ । ପିଏସଏଲଭି ଏକ୍ସଏଲ ରକେଟ ସାହାଯ୍ୟରେ ଏହି ସାଟେଲାଇଟ ଉତକ୍ଷେପଣ କରାଯିବ । ଏହା ଇଣ୍ଡିଆନ ରିଜିଓନାଲ ନାଭିଗେସନ ସାଟେଲାଇଟ ସିଷ୍ଟମର ଏକ ଅଂଶବିଶେଷ । ୧୪ଶହ ୨୦କୋଟି ଟଙ୍କା ବ୍ୟୟରେ ଏହି ଉପଗ୍ରହ ନିର୍ମାଣ କରାଯାଇଛି । ଏୟାରଫୋର୍ସର ଲଢୁଆ ବିମାନରେ ଜିପିଏସ ସିଷ୍ଟମ ବଦଳରେ ଆଇଆରଏନଏସଏସ ସିଷ୍ଟମ ଖଞ୍ଜିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଏହା ଜାହାଜ ଚଳାଚଳ, ଭୁପୃଷ୍ଠ ପରିବହନ ଓ ଟ୍ରେନ ଚଳାଚଳ କ୍ଷେତ୍ରର ସହାୟକ ହେବ । ସେହିପରି ସମୁଦ୍ରରେ ଅନ୍ତର୍ଜାତୀୟ ଜଳସୀମା ନିର୍ଦ୍ଧାରଣରେ ଏହା ଧୀବରମାନଙ୍କୁ ସହାୟତା କରିବ ।

ଇସ୍ରୋ ଚେୟାର୍ମ୍ୟାନ୍ ଏ ଏସ୍ କିରଣ କୁମାର କହିଛନ୍ତି: ପ୍ରଥମ ଥର ଲାଗି ଏକ ଘରୋଇ ସଂସ୍ଥାନ ଗୋଟିଏ କୃତ୍ରିମ ଉପଗ୍ରହ ଖଞ୍ଜିବାରେ ଭୂମିକା ଗ୍ରହଣ କରିଛି। ଆଗକୁ ଆମେ ଅଧିକରୁ ଅଧିକ ଘରୋଇ ସଂସ୍ଥାନଗୁଡ଼ିକୁ କୃତ୍ରିମ ଉପଗ୍ରହ ନିର୍ମାଣ କାର୍ୟ୍ୟରେ ସମ୍ପୃକ୍ତ କରିବୁ।