ପ୍ଲେ-ଅଫକୁ ବାଙ୍ଗାଲୋର ଟିମର ଏଣ୍ଟ୍ରି ପରେ ଇରଫାନଙ୍କ ମଜାଦାର ଟ୍ୱିଟ୍ । ବଲିଉଡ ଅନ୍ଦାଜରେ କହିଲେ, ହାରିକି ବି ଜିତିବା ଲୋକ ବାଜିଗର ହୋଇଥାନ୍ତି ।

215

କନକ ବ୍ୟୁରୋ:  ଆଇପିଏଲର ଶେଷ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ମୁମ୍ବାଇ । ଆଜି ମ୍ୟାଚର ଫଳାଫଳ ସହ ସ୍ପଷ୍ଟ ହୋଇଯିବ ଚତୁର୍ଥ ଟିମ ଭାବେ କିଏ ପ୍ଲେ-ଅଫରେ ସାମିଲ ହେବ । ଏହାପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ-ଅଫ୍ ଟିକେଟ ହାତେଇଥିବା ବେଳେ କୋଲକାତା ଓ ହାଇଦ୍ରାବାଦ ପ୍ଲେ-ଅଫ୍ ଦୌଡରେ ରହିଛନ୍ତି । ତେବେ ରୋମାଞ୍ଚକର ମୁକାବିଲା ପୂର୍ବରୁ ମଜାଳିଆ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କ୍ରିକେଟର ଇରଫାନ ପଠାନ ।

ବାଙ୍ଗାଲୋରର ପ୍ଲେ-ଅଫ୍ ଏଣ୍ଟ୍ରିକୁ ନେଇ ବଲିଉଡ ଅନ୍ଦାଜରେ ଟ୍ୱିଟ୍ କରିଛନ୍ତି ଇରଫାନ । ହାରିକି ବି ଜିତିବା ଲୋକ ବାଜିଗର ହୋଇଥାନ୍ତି । ଆଉ ଇରଫାନଙ୍କ ଏହି ଟ୍ୱିଟ ଏବେ ଜୋରଦାର ଭାଇରାଲ ହୋଇଛି । ଇରଫାନଙ୍କ ଏହି ଟ୍ୱିଟ୍ ପଛର ସବୁଠୁ ବଡ କାରଣ ହେଲା, ଗତକାଲି ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜିତ ହୋଇ ମଧ୍ୟ ପ୍ଲେ-ଅଫକୁ ଏଣ୍ଟ୍ରି ମାରିଛି ବାଙ୍ଗାଲୋର । ଉନ୍ନତ ରନରେଟ୍ ଆଧାରରେ ପ୍ଲେ-ଅଫ୍ ଟିକେଟ ହାତେଇଛି କୋହଲି ବାହିନୀ । ଲଗାତାର ୪ଟି ମ୍ୟାଚ୍ ହାରିବା ସତ୍ତେ୍ୱ ମଧ୍ୟ ପ୍ଲେ-ଅଫରେ ଏଣ୍ଟ୍ରି କରିବା ବାଙ୍ଗାଲୋର ପାଇଁ ସବୁଠୁ ବଡ ଉପଲବ୍ଧି । କୋଲକାତା ନାଇଟ ରାଇଡର୍ସର ୧୪ ପଏଣ୍ଟ ଥିବା ସତ୍ତେ୍ୱ ମଧ୍ୟ ରନରେଟରେ ବାଙ୍ଗାଲୋର ଠାରୁ ମାତ୍ର କିଛି ପଏଣ୍ଟରେ ପଛୁଆ ରହିଛି କେକେଆର ।

ଏଭଳି ସ୍ଥିତିରେ ଆଜି ଯଦି ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦ ବିଜୟ ହାସଲ କରୁଛି ତେବେ କୋଲକାତା ପ୍ଲେ-ଅଫ୍ ରେସରୁ ବାଦ୍ ପଡିବ । ବିଜୟ ସହ ହାଇଦ୍ରାବାଦ ୧୪ ପଏଣ୍ଟ ପାଇବା ସହ ରନରେଟ ଆଧାରରେ ପ୍ଲେ-ଅଫ୍ ଟିକେଟ ହାତେଇବ ଦଳ । ପ୍ରଥମ କ୍ୱାଲିଫାୟରରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀକୁ ଭେଟିବ । ସେହିଭଳି ଏଲିମିନେଟର ମ୍ୟାଚରେ ବାଙ୍ଗାଲୋର କାହାକୁ ଭେଟିବ ତାହା ଆଜି ଶେଷ ଲିଗ୍ ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ ।