କ୍ରିକେଟକୁ ଇରଫାନଙ୍କ ଅଲବିଦା । ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଇରଫାନ୍ ପଠାନ ।

212

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ସବୁ ପ୍ରକାରର କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଗତ କିଛି ବର୍ଷ ଧରି ସେ ଆହତଜନିତ କାରଣରୁ ଅନ୍ତର୍ଜାତୀୟ ତ ଦୂରର କଥା, ପ୍ରଥମ ଶ୍ରେଣୀ କ୍ରିକେଟରୁ ମଧ୍ୟ ଦୂରେଇ ରହିଥିଲେ ।

୨୦୦୩ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଇରଫାନ ୨୦୧୨ ଅକ୍ଟୋବରରେ ଭାରତ ପାଇଁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେହିପରି ୨୦୧୯ ଫେବ୍ରୁଆରି ମାସରେ ସେ ଜମ୍ମୁ ଓ କଶ୍ମୀର ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ । ଏହା ତାଙ୍କ କ୍ୟାରିୟରର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ ଥିଲା । ଏଥର ଆଇପିଏଲ ନିଲାମି ପାଇଁ ମଧ୍ୟ ସେ ନିଜକୁ ଉପଲବ୍ଧ କରାଇ ନଥିଲେ ।

୨୦୦୩ରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକାଳରେ ସେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଆଡିଲେଡ ଓଭାଲଠାରେ ସେ ନିଜର ପ୍ରଥମ ମ୍ୟାଚ ଖେଳି ଭାରତ ପକ୍ଷରୁ ବୋଲିଂ ଓପନ କରିଥିଲେ । ଏହି ମ୍ୟାଚରେ ସେ ମାଥ୍ୟୁ ହେଡେନଙ୍କ ପରି ମହାନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ଚର୍ଚ୍ଚାକୁ ଆସିଥିଲେ । ସେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ, ୧୨୦ଟି ଏକଦିବସୀୟ ଓ ୨୪ଟି ଟି-୨୦ ଖେଳିଛନ୍ତି । ଟେଷ୍ଟରେ ସେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ବୋଲିଂ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନକରି ଟେଷ୍ଟରେ ୧୦୦ଟି ଓ ଏକଦିବସୀୟରେ ୧୭୩ଟି ଓ୍ଵିକେଟ ନେଇଛନ୍ତି ।