ଏଣିକି ଟ୍ରେନରେ ମନ ଇଚ୍ଛା ନେଇପାରିବେନି ଲଗେଜ : ଧରାପଡିଲେ ୬ ଗୁଣା ଗଣିବେ ତଣ୍ଡ

406

କନକ ବ୍ୟୁରୋ : ଏଣିକି ଟ୍ରେନରେ ମନ ଇଚ୍ଛା ନେଇପାରିବେନି ଲଗେଜ । ଯେତିକି ଲଗେଜ୍‌ ପାଇଁ ବୁକିଂ କରାଯାଇଛି ତା’ଠାରୁ ଅଧିକ ଲଗେଜ୍ ନେଇହେବ ନାହିଁ । ଅଧିକ ଲଗେଜ୍ ନେଉଥିବା ଯାତ୍ରୀ ଯଦି ଧରାପଡ଼ିବେ ତେବେ ତାଙ୍କ ଠାରୁ ସାଧାରଣ ଦର ତୁଳନାରେ ୬ ଗୁଣା ଅଧିକ ରାଶି ଜରିମାନା ଭାବେ ଆଦାୟ କରାଯିବ ।

ରେଳବାଇର ନିୟମ ଅନୁସ‌ାରେ ଟ୍ରେନ୍‌ ଯାତ୍ରୀମାନେ ବିଭିନ୍ନ ଶ୍ରେଣୀର କୋଚ୍‌ ଅନୁସାରେ ୪୦-୭୦ କିଲୋ ପର୍ଯ୍ୟନ୍ତର ଲଗେଜ୍‌ ନେଇପାରିବେ । ତା’ଠାରୁ ଅଧିକ ଲଗେଜ୍‌ ନେବାକୁ ହେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏସି ପ୍ରଥମ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୭୦ କେଜି ଓ ସର୍ବାଧିକ ୧୫୦ କେଜି ଲଗେଜ୍‌ ନେଇପାରିବେ । ସେହିପରି ଏସି ଟାୟାର-୨ ସ୍ଲିପର୍/ ଫା‌ଷ୍ଟ୍‌ କ୍ଲାସ୍‌ ଯାତ୍ରୀମାନେ ମାଗଣାରେ ୫୦ କେଜି ଓ ସର୍ବାଧିକ ୧୦୦ କେଜି, ଏସି ଟାୟାର-୩ ସ୍ଲିପର/ ଏସି ଚେୟାର କାର୍ ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୪୦ କେଜି, ସ୍ଲିପର୍ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୪୦ କେଜି ଓ ସର୍ବାଧିକ ୮୦ କେଜି ଏବଂ ଦ୍ବିତୀୟ ଶ୍ରେଣୀର ଯାତ୍ରୀମାନେ ମାଗଣାରେ ୩୫ କେଜି ଓ ସର୍ବାଧିକ ୭୦ କେଜି ଲଗେଜ୍ ନେଇପାରିବେ ।

ଲଗେଜ୍ ପାଇଁ ସର୍ବନିମ୍ନ ଶୁଳ୍କ ହେଉଛି ୩୦ ଟଙ୍କା। ଲଗେଜ୍ ସହ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଟ୍ରେନ୍‌ ଛାଡ଼ିବାର ୩୦ ମିନିଟ୍‌ ପୂର୍ବରୁ ବୁକିଂ ଷ୍ଟେସନର ଲଗେଜ୍ ଅଫିସରେ ପହଞ୍ଚିବାକୁ ପଡ଼ିବ । ଟିକଟ ବୁକିଂ ବେଳେ ମଧ୍ୟ ଲଗେଜ୍‌ର ଅଗ୍ରୀମ ବୁକିଂ ହୋଇପାରିବ । ସର୍ବନିମ୍ନ ଯେତିକି ଜିନିଷ ଦରକାର ତାହା ନେଇ ଯାତ୍ରା କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଆହ୍ବାନ ଦିଆଯାଇଛି । ରେଳ ମନ୍ତ୍ରାଳୟ ଟୁଇଟ୍‌ କରି ଜଣାଇଛି ଯେ ଯଦି ଅଧିକ ଲଗେଜ୍ ରହିବ ତେବେ ଯାତ୍ରାର ସୁଖ କମିଯିବ । ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଅଧିକ ଲଗେଜ୍ ନିଅନ୍ତୁ ନାହିଁ । ଯଦି ଅଧିକ ଲଗେଜ୍ ଅଛି ତେବେ ପାର୍ସଲ୍ ଅଫିସକୁ ସାହାର୍ଯ୍ୟ କରିବା ଲାଗି ତାହାର ବୁକିଂ କରନ୍ତୁ ।