ଟ୍ରେନ୍ ର ଜେନେରାଲ ଟିକେଟ୍ କିଣିବା ପାଇଁ ଏଣିକି ଲାଇନ୍ ରେ ଛିଡା ହେବାକୁ ପଡିବନି : ମୋବାଇଲରୁ କରିପାରିବେ ଏହି ଉପାୟରେ ବୁକିଂ

ଏବେ ମୋବାଇଲ ଆପରେ ବୁକ କରିହେବ ଅଣ-ସଂରକ୍ଷିତ ଟ୍ରେନ୍ ଟିକେଟ

167

ଡିଜିଟାଲକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭାରତୀୟ ରେଳ ମୋବାଇଲ ଫୋନ୍ ମାଧ୍ୟମରେ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା ବ୍ୟବସ୍ଥାକୁ ଦେଶବ୍ୟପୀ ଲାଗୁ କରିଛନ୍ତି । ଏକ ବଡ଼ ପଦକ୍ଷେପ ସ୍ୱରୂପ ରେଳବାଇର ସମସ୍ତ ଜୋନରେ ସମସ୍ତ ଉପନଗର ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ଅଣ-ସଂରକ୍ଷିତ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ସମଗ୍ର ଭାରତ ବର୍ଷରେ ଅଣ-ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ସହଜ ହୋଇପାରିଛି । ଫଳରେ ଯାତ୍ରୀମାନେ ଟିକେଟ କାଟିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାରୁ ରକ୍ଷା ପାଇପାରିବେ । ଅଣ-ସଂରକ୍ଷିତ ମୋବାଇଲ ଟିକେଟ ବୁକିଂ ପାଇଁ ୨୦୧୪ ଡିସେମ୍ବରରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଇଥିଲା । ଏହି ସୁବିଧା ସେଣ୍ଟ୍ରାଲ ରେଲୱେର ହାତଗଣତି ଷ୍ଟେସନରେ ଉପଲବ୍ଧ କରାଯାଇଥିଲା ।

୨୦୧୫ ରୁ ୨୦୧୭ ମସିହା ମଧ୍ୟରେ ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ସିକନ୍ଦରାବାଦ ମହାନଗରର ଉପକଣ୍ଠ ରେଳଷ୍ଟେସନ ଗୁଡ଼ିକରେ ଅଣ-ସଂରକ୍ଷିତ ମୋବାଇଲ ଟିକେଟ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏଥିରେ କାଗଜ ବିହୀନ ଟିକେଟ ବ୍ୟବସ୍ଥା ରହିଥିଲା । ସିଜନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ସହିତ ଅଣ-ସଂରକ୍ଷିତ ଟିକେଟ ବୁକିଂର ସୁବିଧା ଆଣ୍ଡ୍ରଏଡ, ଆଇଓଏସ୍ ଓ ୱିଣ୍ଡୋଜ୍ ଫୋନରେ ଉପଲବ୍ଧ ‘ୟୁଟିଏସ ଅନ୍ ମୋବାଇଲ’ ଆପ ମାଧ୍ୟମରେ ଉପଲବ୍ଧ ।

ଟିକେଟ ବୁକିଂ ପ୍ରକ୍ରିୟାରେ ଆପ୍ଲିକେସନ ଡାଉନଲୋଡ କରିବା, ଆବଶ୍ୟକ ବିବରଣୀ ସାମିଲ କରିବା ସହ ପଂଜିକରଣ କରିବା ପ୍ରକ୍ରିୟା ରହିଛି । ସଫଳତାର ସହ ପଞ୍ଜିକରଣ ପରେ ଉପଭୋକ୍ତାଙ୍କୁ ୟୁଜର ଆଇଡି ଓ ପାସୱାର୍ଡ ଦିଆଯାଇଥାଏ ଏହା ମାଧ୍ୟମରେ ଉପଭୋକ୍ତା ଏହି ଆପ୍ଲିକେସନ ଜରିଆରେ ଲଗ୍ ଇନ୍ କରି ଟିକେଟ ବୁକ୍ କରିପାରିବେ । ପ୍ରାଥମିକ ଭାବେ କେବଳ ଆର୍-ୱାଲେଟ ମାଧ୍ୟମରେ ଦେୟ ପ୍ରଦାନ କରିହେବ । ପରେ ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ଏବଂ ଅନ୍ୟ ଡିଜିଟାଲ ଇ-ୱାଲେଟ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ ।