ଯାତ୍ରୀଙ୍କୁ ନ ଜଣାଇ ଟିକେଟ ରଦ୍ଦ କଲା ଆଇଆରସିଟିସି, ୪୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଲା କନଜ୍ୟୁମର ଫୋରମ 

146

ଦିଲ୍ଲୀର ଜିଲ୍ଲା ଉପଭୋକ୍ତା ନିବାରଣ ଫୋରମ ଆଇଆରସିଟିସିକୁ ୪୫ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସୂଚନା ନ ଦେଇ ଯାତ୍ରୀଙ୍କ ୩ଟି ରିଜର୍ଭ ଟିକେଟକୁ ରଦ୍ଦ କରିଥିବାରୁ ଜିଲ୍ଲା ଉପଭୋକ୍ତା ନିବାରଣ ଫୋରମ  ଏଭଳି ନିଷ୍ପତ୍ତି ନେଇଛି ।

ସୂଚନା ଅନୁଯାୟୀ, ଆଇଆର୍ସିଟିସି ଯାତ୍ରୀଙ୍କୁ ଟିକେଟ ରଦ୍ଦ କରିବାର କୌଣସି ସୂଚନା ଦେଇ ନଥିଲେ । ତୃତୀୟ ପକ୍ଷର ଇ-ମେଲ ସାହାଯ୍ୟରେ ଆଇଆରସିଟିସି ଯାତ୍ରୀଙ୍କ ରିଜର୍ଭ ଟିକେଟ ରଦ୍ଦ କରି ଦେଇଥିଲା । ସଂପୃକ୍ତ ଯାତ୍ରୀ ଅଭିଯୋଗ ଆଣିବା ପରେ ଆଇଆର୍ସିଟିସିକୁ ଏହି ଭୁଲ ପାଇଁ ଫୋରମ ଯାତ୍ରୀଙ୍କୁ ଟିକେଟର ମୂଲ୍ୟ ଦେବା ସହ ଏଭଳି ଭୁଲ ପାଇଁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ।

ଅନ୍ୟ ପକ୍ଷରେ, ଅଭିଯୋଗ କରିଥିବା ଯୁବକ ନୁହେଁ ବରଂ ରୋହିତ ଶର୍ମା ନାମକ ଯୁବକଙ୍କ ଆଦେଶ ପରେ ଟିକେଟ ରଦ୍ଦ କରାଯାଇଥିଲା ବୋଲି କହି ଆଇଆର୍ସିଟିସି ନିଜର ପକ୍ଷ ରଖିଥିଲା । କିନ୍ତୁ କୌଣସି ରୋହିତ ଶର୍ମା ନାମକ ଯୁବକଙ୍କୁ ଅଭିଯୋଗକାରୀ ସୁଶୋଭନ ଗୁପ୍ତା ଜାଣି ନ ଥିବା କହିବା ପରେ ଏଥିରେ ଆଇଆରସିଟିସିର ସମ୍ପୁର୍ଣ୍ଣ ଭୁଲ ବୋଲି ଜିଲ୍ଲା ଉପଭୋକ୍ତା ନିବାରଣ ଫୋରମ ପକ୍ଷରୁ କୁହାଯାଇଥିଲା । ଟିକେଟ ରଦ୍ଦ ହେବାରୁ ଟ୍ରେନ୍ରେ ନିର୍ଦ୍ଧାରିତ ସମୟରେ ଯାତ୍ରା କରି ପାରି ନଥିଲେ ସୁଶୋଭନ ଗୁପ୍ତା । ଯେଉଁଥି ପାଇଁ ତାଙ୍କୁ ବାଧ୍ୟ ହୋଇ ୨୦ହଜାର ଟଙ୍କା ଦେଇ ବିମାନ ଟିକେଟ ଖରିଦ କରିବାକୁ ପଡ଼ିଥିଲା । ଆଇଆର୍ସିଟିସିର ଏ ଭଳି ଭୁଲ ପାଇଁ ସୁଶୋଭନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିବାରୁ ଏ ନେଇ ୪୫ହଜାର ଟଙ୍କା ଜରିମାନା ଦେବାକ ଫୋରମ ନିର୍ଦ୍ଦେଶ ଦେଇଛନ୍ତି।