ରେଳ ମନ୍ତ୍ରାଳୟର ବଡ ଘୋଷଣା, କାଲିଠାରୁ ଗଡିବ ଟ୍ରେନ୍: ଆଜିଠୁ ଆଇଆରସିଟିସି ୱେବସାଇଟରେ ବୁକ କରିହେବ ଟିକେଟ୍; ପ୍ରାଥମିକ ଭାବେ ଦିଲ୍ଲୀରୁ ଚାଲିବ ୧୫ ଯୋଡା ପାସେଞ୍ଜର ଟ୍ରେନ୍

412

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଦେଶରେ ଗଡିବ ଟ୍ରେନ୍ । ରେଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିଷ୍ପତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ପାସେଞ୍ଜର ଟ୍ରେନ ଚଳାଇବାକୁ ଯୋଜନା ରହିଛି । ଏଥିପାଇଁ ଆଜିି ଅପରାହ୍ନ ୪ଟା ଠାରୁ ଆଇଆରସିଟିସିର ୱେବସାଇଟରେ ଲୋକେ ଟିକେଟ ବୁକ କରିପାରିବେ । ଦିଲ୍ଲୀରୁ ଏହି ଟ୍ରେନ ଚାଲିବ । ଏଗୁଡିକ ଦିବ୍ରୁଗଡ, ଅଗରତାଲା, ହାଓଡା, ପାଟଣା, ବିଲାଶପୁର, ରାଂଚି, ସିକନ୍ଦରାବାଦ , ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଂଟ୍ରାଲ, ଅହମଦାବାଦ ଓ ଜମ୍ମୁ ତାୱିକୁ ଯାତ୍ରା କରିବ ।

ବଡକଥା ହେଉଛି ଭୁବନେଶ୍ୱକୁୁ ମଧ୍ୟ ଏହି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନଗୁଡିକ ପାଇଁ କେବଳ ଅନ୍ ଲାଇନ୍ରେ ଟିକଟ ବୁକ୍ କରାଯାଇ ପାରିବ । କୌଣସି ଷ୍ଟେସନରେ ବୁକିଂ କାଉଁଟର ଖୋଲିବ ନାହିଁ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କେବଳ କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ଟ୍ରେନରେ ଯିବାକୁ ଦିଆଯିବ । ଅନ୍ୟପଟେ ପ୍ରତି ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ମଧ୍ୟ କୁହାଯାଇଛି । ଏହା ସହ ସେମାନଙ୍କୁ ଟ୍ରେନ ଚଢିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ପ୍ରକାଶ ପାଉ ନଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛି ରେଳବାଇ ।

ପରବର୍ତୀ ସମୟରେ ବିଭାଗ ରେଳ ଚଳାଚଳର ସାରଣୀ ପ୍ରକାଶ କରିବ ବୋଲି ସୂଚନା ମିଳିଛି ।  କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । କେବଳ ବିଭିନ୍ନ ସ୍ଥାନରେ ଫସିରହିଥିବା ଶ୍ରମିକଙ୍କୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା ।