କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ଏବେ ଇରାକରେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି । ସୋମବାର ଦିନ ମୌଲବୀ ମୁକ୍ତଦାର ଅଲ ସଦର ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବା ପରେ ଦେଶରେ ହିଂସା ଆରମ୍ଭ ହୋଇ ଯାଇଛି । ସିୟା ଗୁରୁ ମୌଲବୀ ମୁକ୍ତଦାର ଅଲ ସଦରଙ୍କ ଏଭଳି ଘୋଷଣା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲୋକମାନେ ରାସ୍ତା ଉପରକୁ ଓହ୍ଲାଇ ଆସି ହିଂସକ ପ୍ରଦର୍ଶନ କରିଛନ୍ତି । ଫଳରେ ଇରାକ ସେନା ସହ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସଦ୍ୟ ସୂଚାନ ମୁତାବକ ଏହି ଗଣ୍ଡଗୋଳରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ସେପଟେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ପ୍ରଦର୍ଶନକାରୀମାନଙ୍କୁ ଅଟକାଇବାକୁ ସେନା ତରଫରୁ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ହେଲେ ଏହାରି ମଧ୍ୟରେ କିଛି ଚକିତ କରିଦେବା ଭଳି ଚିତ୍ର ଆସିଛି । ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନ ଭିତରେ ପଶି ସ୍ୱିମିଂ ପୋଲରେ ମଜା ନେଉଛନ୍ତି ।

ଅନ୍ୟପଟେ ଇରାକର ରାଜଧାନୀ ବାଗଦାଦ ଠାରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ ହୋଇଛି । ଏହାସହ ଦେଶ ଭିତରୁ ଲଗାତର ଭାବେ ବିସ୍ଫୋରଣର ଶବ୍ଦ ଆସୁଛି । ସେପଟେ ବାଗଦାଦରେ ଥିବା ରାଷ୍ଟ୍ରପତି ଭବନ ନିକଟ ସରକାରୀ କାର୍ଯ୍ୟାଳୟ ଉପରେ ବି ରକେଟ୍ ମାଡ ହୋଇଛି ।

କହିରଖୁ କି ଇରାକରେ ନୂଆ ସରକାର ଗଠନ ନେଇ ଗୋଟିଏ ମାସ ହେବ ବିବାଦ ଲାଗି ରହିଛି । ସିୟା ଧର୍ମଗୁରୁଙ୍କ ସମର୍ଥକମାନେ ଗୋଟିଏ ଦଶକ ହେବ ଦେଶରେ ଲାଗି ରହିଥିବା ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ସିୟା ଧର୍ମଗୁରୁ ଇରାକ ରାଜନୀତିରେ ଆମେରିକା ଓ ଇରାନର ହସ୍ତକ୍ଷେପକୁ ବିରୋଧ କରୁଛନ୍ତି । ଏହାସହ ସେ ଇରାକ ସଂସଦ ଭାଙ୍ଗି ତୁରନ୍ତ ନିର୍ବାଚନ କରିବାକୁ ଦାବି କରୁଥିଲେ । ହେଲେ ଏହାରି ମଧ୍ୟରେ ସେ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ଘୋଷଣା କରିବା ପରେ ସମର୍ଥକମାନେ ପ୍ରଦର୍ଶନ ଜାରି ରଖିଛନ୍ତି ।