କନକ ବ୍ୟୁରୋ : ରବିବାର ସକାଳେ ବାଗ୍ଦାଦ୍ସ୍ଥିତ ଇରାକୀୟ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍-କାଧିମିଙ୍କ ବାସଭବନ ଉପରେ ବିସ୍ଫୋରକପୂର୍ଣ୍ଣ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଆକ୍ରମଣକୁ ଇରାକୀୟ ସେନା ହତ୍ୟା ଉଦ୍ୟମ କହିବା ସହ ପ୍ରଧାନମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କଥା କହିଛି ।
ନିରାପତ୍ତା ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଡ୍ରୋନ୍ ଆକ୍ରମଣ ଯୋଗୁଁ କାଧିମିଙ୍କର ବ୍ୟକ୍ତିଗତ ନିରାପତ୍ତା ସଦସ୍ୟଙ୍କ ମଧ୍ୟରୁ କେତେ ଜଣ ଆହତ ହୋଇଛନ୍ତି । ଗତ ମାସରେ ସାଧାରଣ ନିର୍ବାଚନର ଫଳାଫଳ ବିପକ୍ଷରେ ରାଜଧାନୀ ବାଗ୍ଦାଦ୍ରେ ଚାଲିଥିବା ପ୍ରତିବାଦ ହିଂସାକାଣ୍ଡରେ ପରିଣତ ହେବା ପରେ ଆଜି ଏଭଳି ଡ୍ରୋନ୍ ଆକ୍ରମଣ କରାଯାଇଛି । ଭୋଟ୍ ଗ୍ରହଣ ଏବଂ ଭୋଟ୍ ଗଣନାରେ ବ୍ୟାପକ ଅନିୟମିତତା ହୋଇଥିବା କଥା ସେମାନେ ଅଭିଯୋଗ କରିଥିଲେ ।
ବାଗ୍ଦାଦ୍ର ସବୁଠୁ ସୁରକ୍ଷିତ ‘ଗ୍ରିନ୍ ଜୋନ୍’ରେ ଅବସ୍ଥିତ କାଧିମିଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣ ପାଇଁ କୌଣସି ସଙ୍ଗଠନ ଦାୟୀ ବୋଲି ଏଯାବତ୍ ଦାବି କରିନାହାନ୍ତି । ଉକ୍ତ ‘ଗ୍ରିନ୍ ଜୋନ୍’ରେ ସରକାରୀ କୋଠାବାଡ଼ି ଏବଂ ବିଦେଶୀ ଦୂତାବାସ ସବୁ ଅବସ୍ଥିତ ।
ଇରାକୀୟ ସେନା ଜାରି କରିଥିବା ବିବୃତି ଅନୁସାରେ, କାଧିମିଙ୍କ ବାସଭବନକୁ ‘ଟାର୍ଗେଟ୍’ କରି ଆକ୍ରମଣ କରାଯାଇଥିଲା କିନ୍ତୁ, ସେ ସୁରକ୍ଷିତ ଅଛନ୍ତି । ଉକ୍ତ ବିବୃତିରେ ଅଧିକ କିଛି ବିବରଣୀ ଦିଆଯାଇ ନାହିଁ । କାଧିମିଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ କହିଛି, ପ୍ରଧାନମନ୍ତ୍ରୀ ସୁରକ୍ଷିତ ଅଛନ୍ତି । ଶାନ୍ତି ବଜାୟ ରଖନ୍ତୁ।