ଇରାନର ଆକ୍ରମଣ ପରେ ଜବାବ ରଖିଲା ଆମେରିକା । ଟ୍ରମ୍ପ କହିଲେ ମିଜାଇଲ ମାଡରେ କାହାରି କିଛି କ୍ଷତି ହୋଇନି । ଇରାନକୁ ଏକଘରିକିଆ କରିବାକୁ ବିଶ୍ୱ ସମୁଦାୟକୁ ଦେଲେ ଆହ୍ୱାନ ।

751

କନକ ବ୍ୟୁରୋ: ଇରାନର ମିଜାଇଲ ମାଡ ପରେ ପ୍ରତିକ୍ରିୟା ରଖିଲେ ଟ୍ରମ୍ପ । ପ୍ରେସମିଟ କରି ସ୍ପଷ୍ଟୀକରଣ ସହ ଆମେରିକାର ପରବର୍ତ୍ତୀ ପଦକ୍ଷେପ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନର ମିଜାଇଲ ଆକ୍ରମଣରେ କୌଣସି ଆମେରିକୀୟ ମରିନାହାନ୍ତି । ଖାଲି ଆମେରିକା ଏୟାରବେସରେ ସାମାନ୍ୟ କ୍ଷତି ହୋଇଛି । ମାତ୍ର କୌଣସି ନାଗରୀକଙ୍କ କ୍ଷତି ହୋଇନି ବୋଲି ସ୍ପଷ୍ଟ କଲେ ଟ୍ରମ୍ପ । ତେବେ ଏଥିପାଇଁ ଆମେରିକାର ସୈନ୍ୟଙ୍କୁ ସଲାମ କଲେ ଟ୍ରମ୍ପ ।

ସାମ୍ବାଦିକ ସମ୍ମିଳନୀରେ ସୁଲେମାନୀ ହତ୍ୟାର କାରଣ କହିଲେ ଟ୍ରମ୍ପ । କାହିଁକି ସୁଲେମାନୀକୁ ହତ୍ୟା କରିବାକୁ ପଡିଲା ବୋଲି ପୂରା କାହାଣୀ ବଖାଣିଲେ ଟ୍ରମ୍ପ । ସୁଲେମାନୀ କେବଳ ଆମେରିକା ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ବିପଦ ଥିଲା । ତେକୁ ବହୁ ଆଗରୁ ମାରିବାର ଥିଲା ମାତ୍ର ଗତ ସପ୍ତାହରେ ସୁଲେମାନୀ ଭଳି ଜଣେ ଆତଙ୍କବାଦୀକୁ ଆମେ ନିହତ କରିଥିଲୁ । ତେଣୁ ଆତଙ୍କବାଦ ରୋକିବାକୁ ଆମେରିକା ସେନା ଓ ଅର୍ଥନୈତିକ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ କହିଲେ ଟ୍ରମ୍ପ ।

ସେପଟେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ କହିଲେ ଟ୍ରମ୍ପ । ଇରାନକୁ ପରମାଣୁ ରାଷ୍ଟ୍ର ହେବାକୁ ଦିଆଯିବନି । ଭବିଷ୍ୟତରେ ଯେଭଳି ଇରାନ ବଡ ହମଲା ନକରେ ତେଣୁ ପରମାଣୁ ରାଷ୍ଟ୍ରରୁ ତାଙ୍କୁ ବଞ୍ଚିତ କରାଯିବ ।

ତେବେ ସମ୍ବୋଧନ ବେଳେ ସଂଯମତା ରକ୍ଷା କଲେ ଟ୍ରମ୍ପ । ଇରାନ ଉପରେ ଏତେ ଆକ୍ରୋଶମୂଳକ ନହୋଇ ସଂଯମତାରେ କଥା କହିଲେ ଟ୍ରମ୍ପ । ଆମ ପାଖରେ ଯୁଦ୍ଧ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ସେନା ଅଛି । ମାତ୍ର ଆମେ ଯୁଦ୍ଧ ଚାହୁଁନା, ଶାନ୍ତି ଚାହୁଁ କହିଲେ ଟ୍ରମ୍ପ । ତେବେ ଇରାନର ଆକ୍ରମଣ ପରେ ଟ୍ରମ୍ପ ପ୍ରେସମିଟରେ ବଡ ଘୋଷଣା କରିପାରନ୍ତି ବୋଲି ସମସ୍ତେ ଚାହିଁଥିଲେ । ମାତ୍ର ଟ୍ରମ୍ପ ଶାନ୍ତିର ଆହ୍ୱାନ ଦେଇଛନ୍ତି ।