କନକ ବ୍ୟୁରୋ : କେରଳରେ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ବଡ ଫିଲ୍ମ ଫେଷ୍ଟିଭାଲକୁ ସାରା ଦେଶ ଓ ବିଶ୍ୱର ଚଳିଚିତ୍ର ନିର୍ମାତା ଓ ଏହାସହ ଜଡିତ ଅନେକ କଳାକାରଙ୍କୁ ସମ୍ମାନୀତ କରାଯିବା । ଏହାସହ ଅନେକ ଚଳଚିତ୍ର ଏଠାରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଫେଷ୍ଟିଭାଲର ପ୍ରଥମଦିନରେ ଏକ କାରଣକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଇରାନର ଜଣେ ସିନେ ନିର୍ଦ୍ଦେଶକ ମହନାଜ ମୋହମ୍ମଦୀ ଏହି ଫିଲ୍ମ ଫେଷ୍ଟିଭାଲକୁ ନିଜର କଟା ଚୁଟି ପଠାଇଛନ୍ତି ।

Advertisment

୨୭ ତମ କେରଳ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ସମାରୋହରେ ମହନାଜ ମୋହମ୍ମଦୀଙ୍କ ‘ସ୍ପିରିଟ୍ ଅଫ୍ ସିନେମା’ ପାଇଁ ପୁରସ୍କୃତ କରାଯାଇଛି । ହେଲେ ମହନାଜ ମୋହମ୍ମଦୀ ମହିଳାଙ୍କ ଅଧିକାର ପାଇଁ ଲଢେଇ ଚଳାଇଥିବା କ୍ରମରେ ତାଙ୍କୁ ଇରାନରୁ ବାହାରକୁ ଯିବାର ସୁଯୋଗ ଦିଆଯାଉନାହିଁ । ଏହି କାରଣରୁ ସେ ଏକ ମେସେଜ ସହ ନିଜର ବନ୍ଧୁ ତଥା ଗ୍ରୀକର ସିନେ ନିର୍ମାତା ଆଥେନା ରାଚେଲ ଟସାଙ୍ଗୀରଙ୍କ ସହ ନିଜର କଟା ଚୁଟି ଫେଷ୍ଟିଭାଲକୁ ପଠାଇଛନ୍ତି ।

ମହନାଜ ମୋହମ୍ମଦୀ ଜଣେ ନିର୍ଦ୍ଦେଶକ ଭାବେ କାମ କରିବା ସହ ଜଣେ ମହିଳା ସ୍ୱେଚ୍ଛାସେବୀ । ଇରାନରେ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ଅନେକ ଦିନ ଧରି ସଂଘର୍ଷ ଜାରି ରଖିଛନ୍ତି । ଅନେକ ଇରାନୀ ମହିଳା ନିଜର ସ୍ୱାଧୀନତା ଅଧିକାର ପାଇଁ ନିଜର ଚୁଟିକାଟି ଓ ହିଜାବ ଜଳାଇ ପ୍ରଦର୍ଶନ କରୁଛନ୍ତି । ଏହି କ୍ରମରେ ମୋହମ୍ମଦୀ ଇରାନ ମହିଳାମାନଙ୍କ ଦାବିକୁ ସମ୍ମାନ ଜଣାଇ କେରଳ ଫିଲ୍ମ ଫେଷ୍ଟିଭାଲକୁ ନିଜର କଟାଚୁଟି ପଠାଇଥିବା କଥା କୁହାଯାଉଛି ।