କନକ ବ୍ୟୁରୋ : ହମାସ ଆତଙ୍କବାଦୀ ଆକ୍ରମଣର ପ୍ରତି ଜବାବ ଦେଇ ଇସ୍ରାଏଲ ଗାଜା ପଟ୍ଟି ଉପରେ ଜୋରଦାର ଆକ୍ରମଣ କରିଛି । ଆକାଶପଥରୁ ଘନ ଘନ ରକେଟ ମାଡରେ ଗାଜା ପଟ୍ଟିରେ ଥିବା ହମାସ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ୍ୱସ୍ତୁପରେ ପରିଣତ କରିଛି ଇସ୍ରାଏଲ । ତେବେ ଇସ୍ରାଏଲର ପ୍ରତି ଆକ୍ରମଣ ଦେଖି ହମାସ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଇରାନ ଚିହିଁକି ଉଠିଛି । ସିଧାସଳଖ ଧମକ ଦେଇ ଇରାନ କହିଛି, ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ ନ କରେ ତେବେ ଅନ୍ୟ ମୋର୍ଚ୍ଚାରୁ ଯୁଦ୍ଧ ଆରମ୍ଭ ହେବ ।

Advertisment

ଇରାନର ବୈଦଶିକ ମନ୍ତ୍ରୀ ଗୁରୁବାର ବେରୁତରୁ କହିଛନ୍ତି, ଗାଜା ଉପରେ ହେଉଥିବା ଆକ୍ରମଣକୁ ଦେଖିଲେ ଖୁବଶୀଘ୍ର ଇସ୍ରାଏଲ ଉପରେ ଅନ୍ୟ ମୋର୍ଚ୍ଚାରୁ ଯୁଦ୍ଧ ଆରମ୍ଭ କରାଯିବ । ତେଣୁ ଇସ୍ରାଏଲ ଗାଜା ଉପରେ କରୁଥିବା ରକେଟ ମାଡକୁ ବନ୍ଦ କରୁ ନଚେତ ଅନ୍ୟ ମୋର୍ଚ୍ଚାରୁ ଯୁଦ୍ଧ ନିଶ୍ଚିତ ବୋଲି କହିଛନ୍ତି ଇରାନର ବୈଦଶିକ ମନ୍ତ୍ରୀ ।

ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ ପଛରେ ଇରାନର ହାତ ଥିବା ନେଇ ଅଭିଯୋଗ ହେଉଛି । ଇରାନ ହିଁ ହମାସ ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହଯୋଗ ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିବା ନେଇ ଅଭିଯୋଗ ହେଉଛି । କିନ୍ତୁ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇ କୁହାଯାଇଛି ଯେ, ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଇରାନର କୌଣସି ସମ୍ପୃକ୍ତି ନାହିଁ । ଇରାନ ଏହି ଆକ୍ରମଣ ପାଇଁ ନା କୌଣସି ସହଯୋଗ କରିଛି ନା କୌଣସି ସଂକେତ ଦେଇଛି ।