କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ । ଇସ୍ରାଏଲ ଉପରେ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଲକ୍ଷ୍ୟ ପୂରଣ ହୋଇଥିବା କହିଛି ଇରାନ । ଏଥିସହ ଅଧିକ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ ପକ୍ଷରୁ କୁହାଯାଇଛି । ଯଦି ଇସ୍ରାଏଲ ଇରାନ ଉପରେ କୌଣସି ଆକ୍ରମଣ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ ଚେତାଇ ଦିଆଯାଇଛି ।

ସେପଟେ ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ମାଟିରେ ପଡ଼ି ନଥିବା କହିଛନ୍ତି ଇସ୍ରାଏଲ ସେନା ପ୍ରବକ୍ତା । ସମସ୍ତ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଇରାନ ପକ୍ଷରୁ ୧୭୦ ଡ୍ରୋନ, ୩୦ରୁ ଅଧିକ କ୍ରୁଜ୍ ମିସାଇଲ ଓ ୧୨୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ମାଡ଼ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି ଆରମ୍ଭ କରିଛି । ଇରାନ ପ୍ରଥମ ଥର ପାଇଁ ନିଜ ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିଛି । ତେଣୁ ଏହାର ଦୃଢ଼ ଜବାବ ଦେବାକୁ ବଡ଼ ଯୋଜନା ଚଳାଇଛି ଇସ୍ରାଏଲ । ଯଦି ଏଭଳି ହୁଏ ତେବେ ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି ।