ପଞ୍ଜଶୀରରେ କ’ଣ କରୁଛନ୍ତି ପାକିସ୍ତାନ ସେନା, ପ୍ରଶ୍ନ ଉଠାଇଲା ଇରାନ

ସେପଟେ ସରକାର ଗଠନରେ ହେଉଛି ବିଳମ୍ବ; ଆଫଗାନିସ୍ତାନରେ ତାଲିବାନିଙ୍କ ଭିତରେ ଆରମ୍ଭ ହୋଇଗଲାଣି କ୍ଷମତା ଲଢ଼େଇ

427

କନକ ବ୍ୟୁରୋ : ତାଲିବାନ ମାମଲାରେ ପାକିସ୍ତାନର ହସ୍ତକ୍ଷେପକୁ ନିନ୍ଦା କରିଛି ଇରାନ । ପ୍ରଥମ ରାଷ୍ଟ୍ର ଭାବେ ଇରାନ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଛି । ବିଶେଷ କରି ଆଫଗାନିସ୍ତାନର ଅଭେଦ୍ୟ ଗଡ କୁହାଯାଉଥିବା ପଞ୍ଜଶୀର ଦଖଲରେ ପାକିସ୍ତାନ ସେନା, ତାଲିବାନୀଙ୍କ ସହାୟତା କରିଥିବାରୁ ଏହାର ତଦନ୍ତ ଦାବି କରିଛି ଇରାନ । ତାଲିବାନୀମାନେ ପଞ୍ଜସିର ଦଖଲ ନେଇ ଦାବି କରୁଥିବାବେଳେ ଏହାକୁ ଖଣ୍ଡନ କରିଛି ରେଜିଷ୍ଟାନ୍ସ ଫୋର୍ସ ।

ବିଦ୍ରୋହୀ ସେନାର ମୁଖ୍ୟ ଅହମ୍ମଦ ମାସୁଦ ଓ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲା ସାଲେହ ଏହି ଦାବିକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଦେଶରେ ଶେଷ ରକ୍ତବିନ୍ଦୁ ଥିବା ଯାଏ ସେମାନେ ତାଲିବାନୀଙ୍କ ମୁକାବିଲା କରିବେ । ସେପଟେ ଆଫଗାନିସ୍ତାନକୁ ସଂପୂର୍ଣ୍ଣ କବଜା କରିବାରେ ତାଲିବାନକୁ ପୂର୍ଣ୍ଣ ସହୟତା ଯୋଗାଇ ଆସୁଛି ପାକିସ୍ତାନ । ପ୍ରଚ୍ଛଦ ପଟରେ ରହି ସାମରିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା କରୁଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଲେଫଟେନାଂଟ ଜେନେରାଲ ଫୈଜ ଅହମ୍ମଦ କାବୁଲରେ ପହଂଚି ତାଲିବାନୀଙ୍କ ସରକାର ଗଠନରେ ମଧ୍ୟସ୍ଥତା କରୁଛନ୍ତି । ସରକାରରେ ହକାନି ନେଟୱର୍କର ପ୍ରମୁଖ ସହଭାଗିତା ରହିବା ନେଇ ସୁନିଶ୍ଚିତ କରୁଛନ୍ତି ।

ବିଦ୍ରୋହୀ ସେନାଙ୍କ ଏକାଧିକ କମାଣ୍ଡରଙ୍କ ମୃତ୍ୟୁ ପରେ ଏବଂ ଇସଲାମ ଧର୍ମଗୁରୁଙ୍କ ଅପିଲ ପରେ ଅସ୍ତ୍ରବିରତି ଘୋଷଣା କରି କଥାବାର୍ତା ପ୍ରସ୍ତାବ ଦେଇଥିଲେ ଅହମ୍ମଦ ମାସୁଦ । ଏହାକୁ ପ୍ରତ୍ୟାଖ୍ୟାନ କରି ପାକିସ୍ତାନ ସେନାର ସହାୟତାରେ ତାଲିବାନ ପଞ୍ଜଶୀର ଦଖଲ କରିଥିବା କୁହାଯାଉଛି । ତାଲିବାନର ଆଢୁଆଳରେ ପାକିସ୍ତାନ ହିଁ ଆଫଗାନିସ୍ତାନରେ ଖେଳ କରୁଛି । ତେଣୁ ପଞ୍ଜଶୀର ମାମଲାରେ ହସ୍ତକ୍ଷେପ କରିବାକୁ ନର୍ଦ୍ଦନ ଆଲାୟନ୍ସ ଜାତିସଂଘ ସମେତ ବିଶ୍ୱ ସମୁଦାୟକୁ ଅପିଲ କରିଛି । ଆଉ ଏହାରି ଭିତରେ ପାକିସ୍ତାନର ଭୂମିକାକୁ ନେଇ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛି ।