ଇରାନର ପରମାଣୁ ବୈଜ୍ଞାନିକଙ୍କ ହତ୍ୟା ଘଟଣା । ଇରାନର ଅଭିଯୋଗ, ବ୍ୟବହାର ହୋଇଥିଲା ସାଟେଲାଇଟ୍ ରିମୋଟ୍ କଂଟ୍ରୋଲ୍ ମେସିନ୍ ଗନ୍, ହତ୍ୟା ପଛରେ ଇସ୍ରାଏଲର ହାତ ।

381

କନକ ବ୍ୟୁରୋ: ଇରାନର ପରମାଣୁ ବୋମାର ଜନକଙ୍କ ହତ୍ୟାକୁ ନେଇ ଏବେ ଇରାନ୍ ଆଣିଛି ସାଂଘାତିକ ଅଭିଯୋଗ । ଇରାନର ଅଭିଯୋଗ ଅନୁସାରେ ଘଟଣାରେ ବ୍ୟବହାର ହୋଇଥିଲା ସାଟେଲାଇନ୍ ରିମୋଟ୍ କଂଟ୍ରୋଲ୍ ଗନ୍ । ଆଉ ଇରାନର ଶୀର୍ଷ ପରମାଣୁ ବୈଜ୍ଞାନିକଙ୍କୁ ରାସ୍ତାରୁ ହଟାଇବାକୁ କରାଯାଇଥିଲା ପୁରା ଷଡଯନ୍ତ୍ର । ଗତ ନଭେମ୍ୱର ୨୭ ତାରିଖରେ ତେହରାନର ବିଚ୍ ରାସ୍ତା ଉପରେ ଘଟିଥିଲା ବୈଜ୍ଞାନିକଙ୍କ ହତ୍ୟାକାଣ୍ଡ । ଏବେ ଏହି ଘଟଣା ପଛରେ ଇସ୍ରାଏଲର ହାତ ଥିବା ଇରାନ୍ ଆଣିଛି ଅଭିଯୋଗ ।

ଗତ ସପ୍ତାହରେ ଇରାନର ଟପ୍ ନ୍ୟୁକ୍ଲିୟର ସାଇଂଟିଷ୍ଟ ମୋହସିନ୍ ଫଖ୍ରିଜାଦେଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟା କାଣ୍ଡରେ ଉପଗ୍ରହ ନିୟନ୍ତ୍ରିତ ମେସିନ୍ ଗନ୍ ବ୍ୟବହାର ହୋଇଥିବା ନେଇ ଇରାନ୍ ଆଣିଛି ଅଭିଯୋଗ । ନଭେମ୍ୱର ୨୭ ତାରିଖ । ଇରାନର ଶୀର୍ଷ ପରମାଣୁ ବୈଜ୍ଞାନିକ ମୋହସିନ୍ ଫଖ୍ରିଜାଦେ ଏକ କାର ଯୋଗେ ତେହରାନକୁ ଆସୁଥିବା ବେଳେ ରାଜପଥରେ ଘଟିଥିଲା ହତ୍ୟାକାଣ୍ଡ । ପଛରେ ଥିଲେ ୧୧ ଜଣିଆ ସୁରକ୍ଷା ଟିମ୍ । ଏହା ପରେ ବି ସାଟେଲାଇଟ୍ ମେସିନ୍ ଗନ୍ ଗୁଳି କରି ତାଙ୍କୁ ହତ୍ୟା କରିଥିଲା । ପିକ୍ ଅପ୍ ଭ୍ୟାନରେ ଲାଗିଥିଲା ବନ୍ଧୁକ । ଗୁଳି କରି ହତ୍ୟା କରିବା ପରେ କିଛି ଦୂରରେ ସେହି ଗାଡିଟି ଆପେ ଆପେ ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଥିଲା ।

ଏକ ନିଶାନ୍ ପିକଅପ୍ ଗାଡିରେ ଖଂଜା ଯାଇଥିଲା ସାଟେଲାଇଟ୍ ରିମୋଟ୍ କଂଟ୍ରୋଲଡ୍ ଗନ୍ । ବନ୍ଧୁକରୁ କେବଳ ଇରାନର ଶୀର୍ଷ ବୈଜ୍ଞାନିକଙ୍କୁ ହିଁ ଗୁଳି କରାଯାଇଥିଲା । ୧୩ ରାଉଣ୍ଡ୍ ଗୁଳି ଫୁଟିଥିଲା ବନ୍ଧୁକରୁ । ଏଥିରେ ଟଳିପଡିଥିଲେ ଇରାନର ପରମାଣୁ ବିଜ୍ଞାନୀ । ପାଖରେ ତାଙ୍କର ସ୍ତ୍ରୀ ଥିଲେ ମଧ୍ୟ ସେ ଅକ୍ଷତ ରହିଥିଲେ ।

ବୈଜ୍ଞାନିକ ହତ୍ୟାକାଣ୍ଡ ପରେ ପରେ ଇସ୍ରାଏଲ୍ ଆଡକୁ ଇସାରା କରୁଛି ଇରାନ୍ । ଇରାନର ଶୀର୍ଷ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିବାକୁ ଇସ୍ର୍ାଏଲ୍ ଷଡ ଯନ୍ତ୍ର କରିଥିବା ନେଇ ଇରାନର ଜାତୀୟ ଗଣମାଧ୍ୟମରେ ବି ରିପୋର୍ଟ ପ୍ରକାଶ ପାଇଛି । କାରଣ ଠାରୁ ଗାଡି ଭିତରେ ମାତ୍ର ୨୫ ସେଂଟି ମିଟର ଦୂରରେ ଥିଲେ ବୈଜ୍ଞାନିକଙ୍କ ସ୍ତ୍ରୀ । କିନ୍ତୁ ଉପଗ୍ରହ ଦ୍ୱାରା ରିମୋଟ୍ କଂଟ୍ରୋଲ ମେସିନ୍ ଗନ୍ କେବଳ ଟାର୍ଗେଟ୍ କରିଥିଲା ବୈଜ୍ଞାନିକଙ୍କୁ । ଅର୍ଥାତ୍ ଏହି ଘଟଣାରେ କେବଳ ବୈଜ୍ଞାନିକଙ୍କୁ ହତ୍ୟା କରିବା ପାଇଁ ଯୋଜନା ଥିଲା ।
ମେସିନ୍ ଗନରୁ ଗୁଳି ମାଡ ହେବା ମାତ୍ରେ ବୈଜ୍ଞାନିକଙ୍କ ନିକଟରେ ଥିବା ସୁରକ୍ଷା ଅଧିକାରୀ ତାଙ୍କ ଆଗକୁ ଡେଇଁ ପଡିଥିଲେ । ଫଳରେ ତାଙ୍କ ଠାରେ ୪ଟି ଗୁଳି ଲାଗିଥିଲା ।

ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା ପରେ ପୁରା ଇରାନ୍ ଏବେ ସ୍ତବ୍ଧ । ରାଷ୍ଟ୍ରୀୟ ସମ୍ମାନ ସହ ପରମାଣୁ ବୈଜ୍ଞାନିକଙ୍କୁ ବିଦାୟ ଦେଇ ଏବେ ଏହି ହତ୍ୟାର ପ୍ରତିଶୋଧ ନେଇ ବାଟ ଖୋଜୁଛି ଇରାନ୍ ।

କଣ ଏହି ସାଟେଲାଇଟ୍ ରିମୋଟ୍ କଂଟ୍ରୋଲ୍ଡ ମେସିନ୍ ଗନ୍?

ଆଧୁନିକ ଯୁଦ୍ଧ କୌଶଳର ଏହା ଅମୋଘ ଅସ୍ତ୍ର
ଏହି ବନ୍ଧୁକକୁ ରିମୋଟ୍ ଜରିଆରେ କରାଯାଇଥାଏ ନିୟନ୍ତ୍ରଣ
ବନ୍ଧୁକରେ ଲାଗିଥାଏ ହାଲୁକା ଓ ଅତ୍ୟାଧୁନିକ କ୍ୟାମେରା
ଅତ୍ୟାଧୁନିକ ଇଂଟେଲିଜେନ୍ସି ଯନ୍ତ୍ରାଂଶ ବି ଲାଗିଥାଏ
କ୍ୟାମେରାରେ ଟାର୍ଗେଟ୍ର ଛବି ଆସିବା ମାତ୍ରେ ଫୁଟିଥାଏ ଗୁଳି
ଉପଗ୍ରହ କିଂବା ଦୂରରୁ କମ୍ପ୍ୟୁଟରରୁ ଏହାକୁ କରାଯାଇଥାଏ ନିୟନ୍ତ୍ରଣ

୧୯୯୭ ମସିହାରେ ପରଦାକୁ ଆସିଥିଲା ମୁଭି ଦି ଜ୍ୟାକଲ୍ । ଇରାନର ଏହି ବୈଜ୍ଞାନିକ ହତ୍ୟା ଘଟଣା ଏହି ଫିଲ୍ମର ଦୃଶ୍ୟକୁ ପୁଣି ଥରେ ମନେ ପକାଇ ଦେଇଛି ।