ଭୟଙ୍କର ହେଉଛି ଯୁଦ୍ଧ । ଇସ୍ରାଏଲ ଉପରେ ୩୦୦ ମିସାଇଲ ମାଡ଼ କଲା ଇରାନ । ସୁରକ୍ଷା ଯୋଗାଇଲେ ଆମେରିକା ଓ ଫ୍ରାନ୍ସ ।

351

କନକ ବ୍ୟୁରୋ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ବେଳେ ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରିସ୍ଥିତିକୁ ବିସ୍ଫୋରକ କରିଦେଇଛି। ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଗତରାତିରେ ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦୦ରୁ ଅଧିକ ଅସ୍ତ୍ରବାହକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଛି। ଆକ୍ରମଣ ୫ ଘଣ୍ଟା ଧରି ଚାଲିଥିଲା। ତେବେ ଆମେରିକା ସହାୟତାରେ ଇସ୍ରାଏଲ ଏହି ଆକ୍ରମଣକୁ ବିଫଳ କରିଦେଇଛି। ଇସ୍ର‌ାଏଲ କହିଛି ଯେ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦିଆଯାଇଛି। ଏଥିରେ‌ ଇସ୍ରାଏଲର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହି ଆକ୍ରମଣକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଇସ୍ରାଏଲ ଜବାବୀ କାର୍ୟ୍ୟାନୁ୍ଷ୍ଠାନ ସ୍ବରୂପ ଇରାନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଇସ୍ରାଏଲ ଆକ୍ରମଣ କଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି କୁହାଯାଉଛି।

ଇରାନର ସେନା ମୁଖ୍ୟ କହିଛନ୍ତି ଯେ ଆତ୍ମରକ୍ଷା ପାଇଁ ତାଙ୍କ ଦେଶ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। କାର୍ୟ୍ୟାନୁଷ୍ଠାନ ଶେଷ ହୋଇଛି। ଏସଂପର୍କରେ ଆମେ ଆମେରିକାକୁ ପୂର୍ବରୁ ଅବଗତ କରିଥିଲୁ। ତେବେ ଇସ୍ରାଏଲ ଜବାବୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଏହାର ଭୟଙ୍କର ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଜାତିସଂଘରେ ଇରାନ୍‌ ପ୍ରତିନିଧି କହିଛନ୍ତି ଯେ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷରୁ ଆମେରିକା ଦୂରେଇ ରହିବା ଉଚିତ। ଯଦି ଇସ୍ରାଏଲ ଆକ୍ରମଣର କରେ, ତେବେ ତେହେରାନର ଆକ୍ରମଣ ଆହୁରି ଜୋରଦାର ହେବ। ଇରାନ୍‌ ସାମରିକ ମୁଖପାତ୍ର କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଆମେରିକାର ଘାଟିଗୁଡ଼ିକ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରାଯିବ। ଗତକାଲି ବିଳମ୍ବିତ ରାତିରେ ଇରାନ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମେ ୧୭୦ଟି ବିସ୍ଫୋରକ ଲଦେଇ ଡ୍ରୋନ୍ ଛାଡ଼ିଥିଲା ଇରାନ। ଏହାର କିଛି ସମୟ ପରେ ଇସ୍ରାଏଲ ଉପରେ ୩୦ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ୧୨୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆକ୍ରମଣ ସୂଚନା ମିଳିବା ମାତ୍ରେ ସମଗ୍ର ଇସ୍ରାଏଲରେ ସାଇରନ ବାଜିଥିଲା। କିନ୍ତୁ ୯୯ ପ୍ରତିଶତ ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିବା ଇସ୍ରାଏଲ ଦାବି କରିଛି। ଜୋର୍ଡାନ ଆକାଶରେ ୫୦ରୁ ଅଧିକ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିବା ଦାବି କରାଯାଇଛି। ଏଥିରେ ଆମେରିକା ଏହାକୁ ସହାୟତା କରିଥିଲା। ଆକ୍ରମଣରେ ଇସ୍ରାଏଲର କୌଣସି କ୍ଷତି ହୋଇନାହିଁ। ତେବେ ଦେଶରେ ଏବେ ସତର୍କତା ଅବଲମ୍ବନ କରାଯାଉଛି। ବେସାମରିକ ବିମାନ ଚଳାଚଳ ସେବା ବନ୍ଦ ରହିଛି। ଭାରତ ମଧ୍ୟ ଇସ୍ରାଏଲକୁ ସମସ୍ତ ବିମାନ ସେବା ବନ୍ଦ କରିଦେଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲ ଉପରକୁ ଆସୁଥିବା ପ୍ରାୟ ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଖସାଇବାରେ ସହାୟତା କରିଛି। ଇରାନ୍‌ ଆକ୍ରମଣ ପରେ ବାଇଡେନ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହେବା ପରେ ସେ ଏହି ବୟାନ ଦେଇଛନ୍ତି। ଏକ ବିବୃତିରେ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର ଏକ ସ୍ପଷ୍ଟ ନୀତି ଅଛି, ଯିଏ ଆମକୁ କ୍ଷତି ପହଞ୍ଚାଇବ, ଆମେ ସେମାନଙ୍କୁ କ୍ଷତି ପହଞ୍ଚାଇବୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଯେକୌଣସି ବିପଦରୁ ନିଜକୁ ରକ୍ଷା କରିବୁ ଏବଂ ଏହା ଦୃଢ଼ ସଂକଳ୍ପ ସହିତ କରିବୁ। ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି ଏବଂ ଇସ୍ରାଏଲ ଉଭୟ ପ୍ରତିରକ୍ଷାତ୍ମକ ଏବଂ ଆକ୍ରମଣାତ୍ମକ ଭାବରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଏଥିପାଇଁ ସେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସମେତ ଅନ୍ୟ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି।