ଟ୍ରମ୍ପଙ୍କୁ ମାର, ଟଙ୍କା ନିଅ… ଯିଏ ଟ୍ରମ୍ପଙ୍କୁ ମାରିବ ତାଙ୍କୁ ୫୬୦ କୋଟି ମିଳିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପୁରସ୍କାର ଘୋଷଣା କଲା ଇରାନ ।

1,663

କନକ ବ୍ୟୁରୋ: ଯିଏ ଟ୍ରମ୍ପଙ୍କୁ ମାରିବ ତାଙ୍କୁ ପୁରସ୍କାର ମିଳିବ । ଟ୍ରମ୍ପଙ୍କ ମୁଣ୍ଡ ଯିଏ ନେବ ତାଙ୍କୁ ୫୬୦ କୋଟି ମିଳିବ । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ କୁହୁଳୁଥିବା ବେଳେ ଟ୍ରମ୍ପଙ୍କ ବିରୋଧରେ ଏଭଳି ଘୋଷଣା କରିଛି ଇରାନ ।

ତବେ ଇରାନର ମୃତ କମାଣ୍ଡର କ୍ୱାସିମ ସୁଲେମାନୀଙ୍କ ଝିଅ କହିଛନ୍ତି, ଆମେରିକା ପାଇଁ କଳାଦିନ ନେଇ ଆସିବ, ଏହି ମୃତ୍ୟୁ । ସାରା ଇରାନରେ ଲୋକଙ୍କ ଭିତରେ କ୍ରୋଧ କୁହୁଳିବାରେ ଲାଗିଛି । ରାଷ୍ଟ୍ରପତି ଟ୍ରମ୍ପ, ଇରାନକୁ ଧ୍ୱସ୍ତବିଧ୍ୱସ୍ତ କରିଦେବେ ବୋଲି ଧମକ ଦେବା ପରେ ଋଷିଆ, ଚୀନ ଓ ଅନ୍ୟାନ୍ୟ ଦେଶମାନେ ଉଭୟଙ୍କୁ ସଂଯମତା ରଖିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ କାସିମ ସୁଲେମାନୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନିର୍ଦ୍ଦେଶକ୍ରମେ ହତ୍ୟା କରାଯିବା ପରେ ଇରାନ ଏବେ ପ୍ରତିଶୋଧର ନିଆଁରେ ଜଳୁଛି । ସୁଲେମାନୀଙ୍କ କବର ଦେବାଲାଗି ଆୟୋଜିତ ଶୋଭାଯାତ୍ରାର ପ୍ରସାରଣ ସରକାରୀ ଟେଲିଭିଜନରେ କରାଯାଇଥିଲା । ସେହି ପ୍ରସାରଣ ବେଳେ ଟ୍ରମ୍ଫଙ୍କୁ ଯିଏ ମାରିବ ତାଙ୍କୁ ୮୦ ନିୟୁତ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି କୁହାଯାଇଛି । ଇରାନର ଜନସଂଖ୍ୟା ୮୦ ନିୟୁତ । ଜଣେ ଇରାନବାସୀ ୧ ଡଲାର ଲେଖାଏଁ ପ୍ରଦାନ କରିବେ ବୋଲି କୁହାଯାଇଛି । ୧ ଡଲାରର ମୂଲ୍ୟକୁ ଯଦି ୭୦ ଟଙ୍କା ଧରାଯାଏ ତେବେ ଭାରତୀୟ ମୁଦ୍ରାରେ ଟ୍ରମ୍ଫଙ୍କୁ ମାରିବା ବ୍ୟକ୍ତିଙ୍କୁ ୫୬୦ କୋଟି ଟଙ୍କା ମିଳିବ ।

ଗତ ୩ ତାରିଖରେ ବାଗଦାଦ ବିମାନ ବନ୍ଦରରେ ଇରାନ ରିଭୋଲ୍ୟୁସନନାରୀ ଗାର୍ଡସ କର୍ପସର କୁଦ୍ଦସ୍ ବାହିନୀର କମାଣ୍ଡର ସୁଲେମାନୀଙ୍କୁ ଟ୍ରମ୍ଫଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଛି । ଯାହାକୁ ନେଇ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଆରମ୍ଭ ହୋଇଛି ।