କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୨୦ ଦିନରୁ ଅଧିକ ହେବ ଯୁଦ୍ଧ ଲାଗି ରହିଛି । ହମାସକୁ ନିପାତ କରିବାକୁ ଇସ୍ରାଏଲ ପଣ କରିଛି । ଯେଉଁଥିପାଇଁ ଗାଜା ପଟିରେ ଥିବା ହମାସର ଆଡ୍ଡା ଉପରେ ଲଗାତାର ରକେଟ ମାଡ କରୁଛି । ଅନ୍ୟପଟେ ହମାସ ଓ ଲେବାନନରୁ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରୁଛନ୍ତି । ଏସବୁ ଭିତରେ ଇରାନ ଇସ୍ରାଏଲକୁ ଖୋଲାଖୋଲି ଧମକ ଦେଇଛି । ଇସ୍ରାଏଲ ସେନା ଯଦି ଗାଜାରେ ପାଦ ଦିଏ ତେବେ ସେଠାରେ ତାଙ୍କୁ ପୋତିଦେବୁ ବୋଲି କହିଛି ଇରାନ ।

Advertisment

ଇରାନ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ କେବଳ ରକେଟ ମାଡ କରିପାରିବ । କିନ୍ତୁ ଗାଜା ପଟ୍ଟିରେ ପାଦ ଦେଲେ ତାଙ୍କୁ ସେଠାରେ ପୋତି ଦିଆଯିବ । ଇସ୍ରାଏଲ ପାଖରେ କୌଣସି ରାସ୍ତା ନାହିଁ । ଅନ୍ୟପଟେ ଗାଜା ପଟ୍ଟିକୁ ଚତୁଃପାଶ୍ୱର୍ରୁ ଘେରି ରଖିଛି ଇସ୍ରାଏଲ ସେନା । କିନ୍ତୁ ଏବେ ସୁଦ୍ଧା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିନି ଇସ୍ରାଏଲ । କେବଳ ହମାସର ଆଡ୍ଡାକୁ ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଧ୍ୱଂସ କରୁଛି ଇସ୍ରାଏଲ ।  ଗତ ୨୪ ଘଣ୍ଟାରେ ଇସ୍ରାଏଲ ହମାସର ୫ ଜଣ କମାଣ୍ଡରଙ୍କୁ ନିପାତ କରିଛି ।

ଗତ ୭ ତାରିଖରେ ହମାସ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାଛଡା ୨୦୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ନେଇଥିଲା ହମାସ । ଏହାର ପ୍ରତି ଜବାବରେ ହମାସକୁ ସମୂଳେ ନିପାତ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । ହମାସର ବିଭିନ୍ନ ଆଡ୍ଡା ଉପରେ ବୋମା ପକାଇ ଏହାକୁ ଧ୍ୱଂସ କରୁଛି ଇସ୍ରାଏଲ । ଏବେ ସୁଦ୍ଧା ଇସ୍ରାଏଲର ଆକ୍ରମଣରେ ୭୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଯେଉଁମାନଙ୍କ ମଧ୍ୟରେ ୩୦୦୦ରୁ ଅଧିକ ଶିଶୁ ଥିବା ଜଣାପଡିଛି । ସେହିଭଳି ଲକ୍ଷାଧିକ ଲୋକ ଏହା ଭିତରେ ଗାଜା ଛାଡି ସାରିଲେଣି ।