ଦାବି କଲା ଇରାନ, ମନା କଲେ ଟ୍ରମ୍ପ , ମିଜାଇଲ ମାଡ଼ରେ ୮୦ ସୈନ୍ୟଙ୍କ ମୃତ୍ୟୁ ନେଇ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆମେରିକା । ଟ୍ରମ୍ପ କହିଲେ, ଆମେରିକୀୟ ସେନା ସୁରକ୍ଷିତ

649

କନକ ବ୍ୟୁରୋ : ଇରାକ୍ରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ୍ ମିଜାଇଲ୍ ମାଡ଼ କରି ୮୦ ଜଣ ସୈନ୍ୟକୁ ମାରି ଦେଇଥିବା ଦାବିକୁ ଅସ୍ୱୀକାର କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ସାମରିକ ଘାଟିର ଅଳ୍ପ କ୍ଷତି ଘଟିଛି । କିନ୍ତୁ କୌଣସି ସୈନ୍ୟଙ୍କ ମୃତ୍ୟୁ ହୋଇନାହିଁ । କିଛି ଘଂଟାର ନିରବତା ପରେ ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି । ତେବେ ଇରାନ୍ ଏକ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଏବଂ ସାରା ବିଶ୍ୱରେ ଆତଙ୍କବାଦକୁ ଏହି ରାଷ୍ଟ୍ର ପ୍ରୋତ୍ସାହିତ କରୁଛି ବୋଲି କହିଛନ୍ତି ଟ୍ରମ୍ପ । ଏଥିସହ ବହୁପୂର୍ବରୁ ସୁଲେମାନୀକୁ ହତ୍ୟା କରାଯିବା ଉଚିତ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଇରାନ୍ ଉପରେ ଆର୍ଥିକ କଟକଣାକୁ ଆହୁରି କଠୋର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । କୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ଶକ୍ତିି ସମ୍ପନ୍ନ ରାଷ୍ଟ୍ର କରାଯାଇ ଦିଆଯିବ ନାହିଁ ବୋଲି ଦୋହରାଇଛନ୍ତି ଟ୍ରମ୍ପ । ଆମେରିକା ଶାନ୍ତି ଚାହେଁ, ଆତଙ୍କବାଦ ଦମନ ପାଇଁ ଇରାନ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି, ମଧ୍ୟପ୍ରାଚ୍ୟର ତେଲ ଆମେରିକାର ଆବଶ୍ୟକ ନାହିଁ, ତୈଳ କ୍ଷେତ୍ରରେ ଆମେରିକା ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର । ସେପଟେ ସୁଲେମାନୀ ହତ୍ୟାର ପ୍ରତିଶୋଧ ନେଇଛି ବୋଲି କହିଥିଲା ଇରାନ । ଇରାକ ସ୍ଥିତ ଆମେରିକୀୟ ସାମରିକ ଘାଟି ଉପରେ ଇରାନର ରକେଟ୍ ମାଡରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା ଇରାନ । ମୃତକଙ୍କ ମଧ୍ୟରେ ୨୦ ଆମେରିକୀୟ ସେନା ଥିବା କୁହାଯାଇଛି । ଆମେରିକାକୁ ଏକ ଶକ୍ତ ଚାପୁଡା ବୋଲି କହିଥିଲେ ଇରାନର ସର୍ବୋଚ୍ଚ ନେତା ଆୟୋଟା ଅଲ୍ଲୀ ଖାମେନୀ । ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ବାଲାଷ୍ଟିକ ମିସାଇଲ ମାଡ କରିଥିଲା ଇରାନ । ଇରାନର ମିଜାଇଲ ମାଡ ଦାବିକୁ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏଥିରେ ଆମେରିକା କିମ୍ବା ଇରାକ୍ର କେହି ପ୍ରାଣ ହରାଇ ନାହାନ୍ତି ବୋଲି ଟ୍ରମ୍ପ ତାଙ୍କ ଦେଶବାସୀଙ୍କୁ ଜଣାଇଛନ୍ତି ।