ଲକଡାଉନରେ ମଦର ଚୋରାଚାଲଣ: ଭଞ୍ଜନଗରରେ ଧରାପଡିଲା କୋଟିଏରୁ ଅଧିକ ଟଙ୍କାର ମଦ; ୨ ଗିରଫ

552

କନକ ବ୍ୟୁରୋ: କରୋନା କଟକଣା ଭିତରେ ସବୁଠି ତାଲାବନ୍ଦ । ଏହା ଭିତରେ ଭଂଜନଗରରୁ ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ବିଦେଶୀ ମଦ । ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳରେ ବାହାର ରାଜ୍ୟ ତଥା ସୁରଟ ଫେରନ୍ତାଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ପୋଲିସ ଓ ପ୍ରଶାସନ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏପରି ସମୟର ସୁଯୋଗ ନେଇ ମାତିଛନ୍ତି ଚୋରା ମଦ ବେପାରୀ । ଚାହା ଦୋକାନରେ ଚାହା କେଟିଲରେ ମଦ ବିକ୍ରି ହେଉଥିବା ଖବର ପାଇବା ପରେ ପୋଲିସ ଆରମ୍ଭ କରିଥିଲା ଜୋରଦାର ଚଢାଉ । ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡିଥିଲା ମାଲ ବୋଝେଇ ଟ୍ରକ ।

ତା ପୁଣି ଠିଆ ହୋଇଥିଲା ଗାଁ ମୁଣ୍ଡରେ । ପୋଲିସ ଏହା ଉପରେ ଚଢାଉ କରି ୯୦୦ ପେଟି ବିଦେଶୀ ମଦ ଜବତ କରିଥିଲା । ଯାହାର ବଜାର ଦର ପ୍ରାୟ ଏକ କୋଟି ହେବ ବୋଲି କୁହାଯାଉଛି । ପୋଲିସର ପ୍ରାଥମିକ ଯାଂଚରୁ ଜଣାପଡିଛି ମାର୍ଚ ୨୦ ତାରିଖରୁ ଖୋର୍ଦା ସରକାରୀ ବିଦେଶୀ ମଦ ଡିପୋରୁ ବ୍ରହ୍ମପୁର କନିସ ସରକାରୀ ମଦ ଡିପୋକୁ ଯିବାକୁ ବୋଝେଇ ହୋଇଥିଲା ଗାଡିଟି । ଲକଡାଉନ କାରଣରୁ ଗାଡି କନିସ ଯିବା ବଦଳରେ ଗାଡି ଡ୍ରାଇଭରର ଗାଁକୁ ନେଇଯାଇଥିଲେ । ତେବେ ଡିପୋକୁ ନନେଇ କାହିଁକି ଗାଡିକୁ ଡ୍ରାଇଭର ଗାଁକୁ ନେଇ ଆସିଥିଲା କିଛି ସଠିକ୍ ଉତର ମିଳିପାରିନି ବୋଲି ପୋଲିସ କହିଛି । ଗାଡିକୁ ଜବତ କରି ଡ୍ରାଇଭର ଓ ହେଲପରକୁ ପୋଲିସ ଗିରଫ କରିଛି । ଏବେ ଗାଡି ମାଲିକକୁ ଖୋଜୁଛି ପୋଲିସ ।