କନକ ବ୍ୟୁରୋ: ଆଇପିଏସ୍ ବୃନ୍ଦା ଶୁକ୍ଲାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । କାହିଁକି ନା, ଏହି ଲେଡି ଆଇପିଏସ୍ ଏମିତି କିଛି କାମ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଆଉ ତାଙ୍କ ସାହାସକୁ ସମସ୍ତେ ତାରିଫ୍ କରିଛନ୍ତି । ୟୁପିର ବାହୁବଳୀ ବିଧାୟକ ମୁଖତାର ଅନସାରୀର ବୋହୁକୁ ଜେଲ ଭିତରୁ ଗିରଫ କରିଛନ୍ତି ଏହି ଲେଡି ଆଇପିଏସ୍ ଅଫିସର ।

Advertisment

ଆଇପିଏସ୍ ବୃନ୍ଦା ଶୁକ୍ଲା ଏବେ ଚିତ୍ରକୁଟ ଜିଲ୍ଲାର ଏସପି । ତାଙ୍କ ରହିଛି ପୂରା ଜିଲ୍ଲାର ଆଇନ୍ ଶୃଙ୍ଖଳା ବ୍ୟବସ୍ଥା । ତେବେ ଗଲା କିଛି ଦିନ ହେଲା ଚିତ୍ରକୁଟ ଜେଲରେ କିଛି ହେରଫେର କାମ ଚାଲିଥିବା ନେଇ ସେ ସୂଚନା ପାଇଥିଲେ । ଆଉ ତା ପରେ ସୁଯୋଗ ଦେଖି, ଏସପି ଏମିତି ଆକ୍ସନ ନେଇଛନ୍ତି ଯାହା ସମସ୍ତଙ୍କୁ ଚମକେଇ ଦେଇଛି । ସାଧା ପୋଷାକରେ ଜେଲରେ ପହଞ୍ଚି ଚଢାଉ କରିବା ସହ ଜଣେ ବିଧାୟକଙ୍କ ବୋହୁକୁ ଜେଲ୍ ଭିତରୁ ହିଁ ଗିରଫ କରିଛନ୍ତି ଆଇପିଏସ୍ ଅଫିସର ବୃନ୍ଦା ଶୁକ୍ଲା ।

ୟୁପିର ବାହୁବଳି ବିଧାୟକ ମୁଖତାର ଅନସାରୀଙ୍କ ପୁଅ ଅବାସ୍ ଏବେ ଜେଲରେ ଅଛି । ବର୍ତ୍ତମାନ ବିଧାୟକ ଥିବା ଅବାସର ପତ୍ନୀ ନିକହତ ତାକୁ ଭେଟିବାକୁ ଡେଲି ଡେଲି ଜେଲ୍ ଯାଉଥିବାବେଳେ, ଏହି ଦେଖାସାକ୍ଷାତ କିନ୍ତୁ ନିୟମ ଅନୁସାରେ ହେଉନଥିଲା । ଗୋଟିଏ ବନ୍ଦ ରୁମରେ ଦୁହେଁ ଦେଖାସାକ୍ଷାତ କରୁଥିବାବେଳେ ତାଙ୍କ ପାଖରେ ମୋବାଇଲ୍ ରହୁଥିବା ବି ଜଣାପଡିଥିଲା ତେବେ ଏ ଖବର ମିଳିବା ମାତ୍ରେ ତୁରନ୍ତ ଆକ୍ସନ ନେବା ସହ ବିଧାୟକଙ୍କ ବୋହୁକୁ ଗିରଫ କରିଛନ୍ତି ବୃନ୍ଦା । ଯାହା ତାଙ୍କୁ ରାତାରାତି ଚର୍ଚ୍ଚାକୁ ଆଣିଦେଇଛି ।

ଆଇପିଏସ୍ ବୃନ୍ଦା ଶୁକ୍ଲାଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୁଏ । ହେଲେ ଏବେ ତାଙ୍କର ସିଙ୍ଘମ୍ ଷ୍ଟାଇଲକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହେଇଛି । ଆଇପିଏସ୍ ବୃନ୍ଦା ଶୁକ୍ଲା ୨୦୧୪ ବ୍ୟାଚର ଆଇପିଏସ୍ ଅଫିସର ହେଇଥିବାବେଳେ, ୟୁପିରେ ଏହା ହେଉଛି ତାଙ୍କର ପ୍ରଥମ ପୋଷ୍ଟିଂ । ତେବେ ନିଜ ପ୍ରଥମ ପୋଷ୍ଟିଂରେ ହିଁ ବୃନ୍ଦା ଏମିତି କିଛି କାମ କରି ଦେଖେଇଛନ୍ତି, ଯାହା ବୋଧହୁଏ ଅନ୍ୟ କେହି କରି ଦେଖେଇ ନଥିବେ ।