ଆସାମର ଆଇରନ୍ ଲେଡି : ବୀରତ୍ୱ ଓ ଅଦମ୍ୟ ସାହସର ମିଶାଲ,ଉଗ୍ରବାଦୀଙ୍କ ପାଇଁ କାଳ ଆଇପିଏସ୍ ସଂଯୁକ୍ତା ପରାଶର

214

କନକ ବ୍ୟୁରୋ: ଅଦମ୍ୟ ସାହସ ଓ ବୀରତ୍ୱର ଅନ୍ୟ ନାମ, ଉଗ୍ରବାଦୀଙ୍କ ପାଇଁ ଏକ ଦୁଃସ୍ୱପ୍ନ,ସଂଯୁକ୍ତା ପରାଶର । ଯାହା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି ଉଗ୍ରବାଦୀ । ମାତ୍ର ୧୫ ମାସରେ ୧୬ ଉଗ୍ରବାଦୀଙ୍କୁ ଏନକାଉଂଟର ଓ ୬୦ରୁ ଅଧିକଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ମହିଳା ଆଇପିଏସ୍ ସଂଯୁକ୍ତା । ଆସାମରେ ମାତିଥିବା ନକ୍ସଲଙ୍କୁ ଦମନ କରିଥିବା ଆଇପିଏସ୍ ମହିଳା ଆଇପିଏସ୍ ସଂଯୁକ୍ତା ପରାଶର । ଅଦମ୍ୟ ସାହସ ଓ ବୀରତ୍ୱର ଜ୍ୱଳନ୍ତ ଉଦାହରଣ ।

ରାତିର ଅନ୍ଧକାର ହେଉ କି ମୂଷଳଧାର ବର୍ଷା କାହାକୁ ଖାତିର ନକରି ହାତରେ ଏକେ ୪୭ ରାଇଫଲ ଧରି ଆସାମର ଜଙ୍ଗଲରେ ମାଡିଚାଲନ୍ତି ସଂଯୁକ୍ତା । ତାଙ୍କ କାମ କରିବାର ଅନ୍ଦାଜ ଆଉ ଡେୟାରିଙ୍ଗ ଆଟିଟ୍ୟୁଡ୍ ହିଁ ତାଙ୍କ ସ୍ୱତନ୍ତ୍ର ପରିଚୟ । ଆସାମର ପ୍ରଥମ ମହିଳା ଆଇପିଏସ୍ ସଂଯୁକ୍ତା । ୨୦୦୬ ବ୍ୟାଚର ଏହି ଆଇପିଏସ୍ ୨୦୦୮ରେ ଆସାମ ମାକୁନରେ ଆସିଷ୍ଟାଣ୍ଡ କମାଣ୍ଡାଂଟ ଭାବେ ନିଯୁକ୍ତ ହେଲେ । ଏହାପରେ ବୋଡୋ ଓ ବାଂଲାଦେଶୀ ଙ୍କ ମଧ୍ୟରେ ଚାଲିଥିବା ସାମ୍ପ୍ରଦାୟିକ ହିଂସା ରୋକିବାକୁ ଦାୟିତ୍ୱ ଦିଆଯାଇଥିଲା । ଏପରି ଏକ ସଙ୍ଗିନ୍ ସ୍ଥିତିକୁ ବୁଦ୍ଧିମତାର ସହ ନିୟନ୍ତ୍ରଣକୁ ଆଣିପାରିଥିଲେ ସଂଯୁକ୍ତା । ୧୬ ଉଗ୍ରବାଦୀଙ୍କୁ ଏନକାଉଂଟର ୨୦୧୩ରେ ୧୭୨ଜଣ ଉଗ୍ରବାଦୀଙ୍କ ଜେଲ ପଠାଇଥିବାବେଳେ ୨୦୧୫ରେ ୧୭୫ଜଣ ଉଗ୍ରବାଦଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ସଂଯୁକ୍ତା । ଏବେ ସେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ।

ସଂଯୁକ୍ତାଙ୍କ ପ୍ରଫେସନାଲ ଲାଇଫ୍ ଯେତିକି ସଫଳ, ତାଙ୍କ ବ୍ୟକ୍ତିଗତ ଜୀବନ ବି ସେତିକି ରୋଚକ । ଆସାମରେ ଜନ୍ମ ହୋଇଥିବା ସଂଯୁକ୍ତାଙ୍କର ସ୍କୁଲ ପଢା ଆସାମରେ ହୋଇଥିଲା । ଏହାପରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଜୱାହରଲାଲ ନେହେରୁ ୟୁନିଭରସିଟିରୁ ଇଂଟରନ୍ୟାସନାଲ ରିଲେସନସିପରେ ସ୍ନୋତକୋତ୍ତର ଶେଷ କରିଥିଲେ । ହେଲେ ଜେଏନୟୁରେ ପଢିବାକୁ ତାଙ୍କ ନମ୍ବର କମ୍ ହେବାରୁ ପ୍ରଥମେ ତାଙ୍କ ଆଡମିସନ୍ ହୋଇପାରିନଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ୱେଟିଙ୍ଗ ଲିଷ୍ଟରେ ଥିବା ସଂଯୁକ୍ତା କିନ୍ତୁ ୟୁପିଏସିରେ ପ୍ରଥମ ଆଟେମ୍ପଟରେ ୮୫ ତମ ସ୍ଥାନ ରଖି ଆଇପିଏସ୍ ପାଇଥିଲେ । ଜେଏନୟୁରେ ପଢା ଶେଷ ପରେ ଆମେରିକାରେ ଫରେନ୍ ରିଲେସନ୍ସିପରେ ପିଏଚଡି କରିଥିଲେ ।

୨୦୦୬ ବ୍ୟାଚର ଆଇପିଏସ୍ ସଂଯୁକ୍ତା ୨୦୦୮ରେ ଆଇଏଏସ୍ ପୁରୁ ଗୁପ୍ତାଙ୍କୁ ବିବାହ କରିଥିଲେ, ଯିଏ ଏବେ କେନ୍ଦ୍ରର ଡିପାର୍ଟମେଂଟ ଅଫ୍ କମର୍ସରେ ଉପ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ୧୦ ବର୍ଷର ପୁଅ ବି ରହିଛି । ପରିବାର ଅପେକ୍ଷା ଦେଶ ସେବାକୁ ଅଧିକ ଗୁରୁତ୍ୱ ଦେଉଥିବା ସଂଯୁକ୍ତାଙ୍କ ଗୋଟେଗୋଟେ ଦିନ ରିଲିଫ୍ କ୍ୟାମ୍ପରେ ହିଁ କଟିଯାଏ । କର୍ମକୁ ଈଶ୍ୱର ମାନୁଥିବା ସଂଯୁକ୍ତା ଅଭ୍ୟାସ ଉପରେ ସବୁବେଳେ ଗୁରୁତ୍ୱ ଦିଅନ୍ତି । ଅଭ୍ୟାସ ଦ୍ୱାରା ହିଁ ଜଣେ ସଫଳ ହୋଇପାରିବ ବୋଲି ସେ କହନ୍ତି । ସେ ନିଜେ ମଧ୍ୟ ପ୍ରତ୍ୟେକ ଦିନ ୨୧ କିଲୋମିଟର ଦୌଡିବା ସାଙ୍ଗକୁ ମାର୍ଶଲ ଆର୍ଟ ଅଭ୍ୟାସ କରନ୍ତି । ଲୋକଙ୍କ ମନରେ ପୋଲିସର ଏକ ନକାରାତ୍ମକ ଛବି ଥିବାବେଳେ ନିଜ ନିଃସର୍ତ୍ତ ସେବା ଦ୍ୱାରା ସମସ୍ତଙ୍କ ମନରେ ବିଶ୍ୱାସର ଛବି ଆଙ୍କିପାରିଛନ୍ତି ସଂଯୁକ୍ତା । ସତରେ ଏପରି ଜଣେ ବାହାଦୁର ଓ ସଚ୍ଚୋଟ ଆଇପିଏସଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ ।