ବରିଷ୍ଠ IPS ଅଧିକାରୀଙ୍କ ଆତ୍ମହତ୍ୟା । ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କଲେ

2,208

କନକ ବ୍ୟୁରୋ: କୋଇମ୍ବାଟୁରର ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ତାମିଲନାଡୁର ବରିଷ୍ଠ ଆଇପିଏସ୍ ବିଜୟ କୁମାର ୨୦୦୯ ବ୍ୟାଚର ଆଇପିଏସ୍ । ସେ ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ ବ୍ୟାଚର ଆଇପିଏସ୍ ବିଜୟ କୁମାର ପୂର୍ବରୁ କାଞ୍ଚିପୁରମ , କୁଡ୍ଡାଲୋର, ନାଗପଟ୍ଟିନମ୍ ଓ ତିରୁବରୁର ଜିଲ୍ଲାରେ ପୁଲିସ ଅଧୀକ୍ଷକ ଭାବେ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇଛନ୍ତି ।

ଚଳିତ ବର୍ଷ ବିଜୟ କୁମାର କୋଇମ୍ବାଟୁର ରେଞ୍ଜର ନୂଆ ପୁଲିସ ଉପମହାନୀରିକ୍ଷକ (ଡିଆଇଜି)ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପୂର୍ବରୁ ତାଙ୍କର ଶେଷ ପୋଷ୍ଟିଙ୍ଗ ଚେନ୍ନାଇରେ ଥିଲା, ଯେଉଁଠି ସେ ପୁଲିସ ଉପାୟୁକ୍ତ ଭାବେ କାର୍ଯ୍ୟ କରିଥିଲେ । ଏବେ କୋଇମ୍ବାଟୁର ରେଞ୍ଜରେ ଦାୟିତ୍ୱରେ ଥିଲେ । ତାଙ୍କ ଅଧିନରେ କୋଇମ୍ବାଟୁର ଗ୍ରାମୀଣ, ତିରୁପୁର ଗ୍ରାମୀଣ, ନୀଲଗିରି ଓ ଇରୋଡ ଜିଲ୍ଲା ସାମିଲ ଥିଲା ।