କୃଷ୍ଣ ସେବା ପାଇଁ ଇସ୍ତଫା ଦେବେ ଆଇପିଏସ୍ : ଭଗବତ ପ୍ରେମରେ ୧୯୯୮ ବ୍ୟାଚ କ୍ୟାଡେଟ୍ ଭାରତୀ ଆରୋରା

457

କନକ ବ୍ୟୁରୋ : ଆଉ ନୁହେଁ… ବହୁତ ହୋଇଗଲା, ଚୋର ପୋଲିସର ଖେଳ, କ୍ରାଇମ କ୍ରିମିନାଲର ଲୁଚାଛୁପା କାହାଣୀ । ବହୁତ ହୋଇଗଲା ଚାକିରି ଜୀବନ । ଏବେ କୃଷ୍ଣଙ୍କ ପ୍ରେମରେ ପଡିବାର ବେଳ, କୃଷ୍ଣ ନାମ ଜପିବାର ବେଳ… କୃଷ୍ଣଙ୍କ ସେବା କରିବାକୁ ଛାଡିଦେବି ଚାକିରି । ଏବେ ଜୀବନର ଏକ ମାତ୍ର ନିଚ୍ଛକ ଓ ଚରମ ଲକ୍ଷ୍ୟ ହାସଲ କରିବାକୁ ଚାହେଁ । ଯେତେଶିଘ୍ର ଭୌତିକ କର୍ମରୁ ନିବୃତ ହୋଇ ଆଧ୍ୟାତ୍ମିକ ପଥର ପଥିକ ହେବାକୁ ଚାହେଁ । ବଳକା ଜୀବନ କଟିଯାଉ ଘନଶ୍ୟାମ ସୁନ୍ଦର କୃଷ୍ଣଙ୍କ ଚିନ୍ତାରେ ।ଏପରି ମନକଥା ବଖାଣିଛନ୍ତି ୧୯୯୮ ବ୍ୟାଚ ହର୍ୟାଣା କ୍ୟାଡରର ଲେଡି ଆଇପିଏସ୍ ଭାରତୀ ଅରୋରା ।


ଚାକିରୀ ଜୀବନରେ ବେଶ୍ ସକ୍ରିୟ ଭାରତୀ ଅରୋରା ଏବେ କୃଷ୍ଣ ପ୍ରେମରେ ବାୟାଣୀ । । ବିଶ୍ୱ ନିୟନ୍ତାଙ୍କ ଭାବରେ ତଲ୍ଲୀନ । ଗୁରୁ ନାନକ, ଶ୍ରୀଚୈତନ୍ୟ, ସନ୍ଥ କବୀର , ତୁଳସୀଦାସ, ସୁରଦାସ, ମୀରାବାଈଙ୍କ ଅମୃତ ବାଣୀ ତାଙ୍କୁ ଅନୁପ୍ରାଣୀତ କରିଛି । ୨୩ ବର୍ଷର ଚାକିରି ସମୟରେ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପ୍ରଶଂସା । ହେଲେ ଏବେ ଆଉ ଏଥିରେ ଇଚ୍ଛା ନାହିଁ । ଖୁବ ଶିଘ୍ର ଚାକିରିରୁ ଅବସର ଦେବାକୁ ସେ ପୋଲିସ୍ ଚିଫ୍ ସେକ୍ରେଟାରୀ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲେଖିଛନ୍ତି ଇସ୍ତଫା ପତ୍ର ।


୨୦୦୭ ର ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ୍ ପୋଡି, ଯେଉଁଥିରେ ୬୮ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ଓ ଅଧିକାଂଶ ମୃତକ ମୁସଲମାନ ଥିଲେ , ଏହି ମାମଲାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମର ମୁଖ୍ୟ ଭାବେ ସେ ଏହି ଘଟଣାର ତଦନ୍ତ କରିଥିଲେ । ୨୦୧୩ରେ ଗୁଡଗାଓଁରେ ଜଏଂଟ ସିପି ଭାବେ ଯୋଗ ଦେଇଥିଲେ । ସେତେବେଳେ ଟ୍ରାଫିକ୍ ପରିଚାଳନାରେ ତାଙ୍କର ଭିନ୍ନ ତରିକାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶାଂସା ମିଳିଥିଲା । ୨୦୧୬ରେ ହରିଆଣା ସରକାରଙ୍କ ଦ୍ୱାରା ଗୋ ସମ୍ପଦର ସରଂକ୍ଷଣ ପାଇଁ ଗଠିତ ଟାସ୍କ ଫୋର୍ସର ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ଏଥିରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିପାରିଥିଲେ । ପ୍ରତ୍ୟେକ ଦାୟିତ୍ୱକୁ ସେ ନିଷ୍ଠାର ସହ ସମ୍ପନ୍ନ କରିଛନ୍ତି । ବହୁ ପୂର୍ବରୁ ଚାକିରୀରୁ ଅବସର ନେବାକୁ ଚାହୁଁଥିଲେ ବି ମିଳିନଥିଲା । ହେଲେ ଅଗଷ୍ଟ ପହିଲାରୁ ଅବସର ନେଇ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ଭାରତୀ । ଏଥିପାଇଁ ତାଙ୍କର ଆଇପିଏସ୍ ସ୍ୱାମୀ ବିକାଶ ଅରୋରା ମଧ୍ୟ ସହମତି ଜଣାଇଛନ୍ତି । ଭୂମିରୁ ଭୂମାର ଗତିରେ ଆଗଉଥିବା ଭାରତୀ ଏବେ ମସସ୍ତଙ୍କ ପାଇଁ ଜଣେ ଉଦାହରଣ ।