କନକ ବ୍ୟୁରୋ : ନାରୀ କେବଳ ଶାନ୍ତିର ପ୍ରତିମୂର୍ତ୍ତି ନୁହେଁ ଦରକାର ପଡିଲେ ସେ ଅଶାନ୍ତିର ବିନାଶ ପାଇଁ ଦୂର୍ଗା ରୂପ ଧାରଣ କରିପାରିବ । ସେ ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ଆଇ.ପିିଏସ ଅଫିସର ଡି ରୂପା ମୋଦଗିଲ । ଟ୍ରାନସ୍ଫର ହେଉ ବଡ ନେତାଙ୍କ ଚାପ କିମ୍ବା ଲାଂଚର ପ୍ରଲୋଭନ, କୌଣସି ପ୍ରତିବନ୍ଧକ ରୂପାଙ୍କ କର୍ତ୍ତବ୍ୟ ପଥରେ ଆଜି ଯାଏଁ ବାଧା ଆଣି ପାରିନାହିଁ । ବଡ ଅଫିସର ମାନଙ୍କ କ୍ଷେତ୍ରରେ ଅନେକ ଭୁଲ ଓ ନକାରାତ୍ମକ କାର୍ଯ୍ୟ ଦେଖିବା ଓ ଶୁଣିବାକୁ ମିଳୁଥିବା ବେଳେ ଆମ କାର୍ଯ୍ୟକ୍ଷେତ୍ରରେ ପୁରୁଷ ପ୍ରଧାନ ଆଧିପତ୍ୟ ଥିବା ସତ୍ୱେ ଡି ରୂପା ନିଜ ସଚ୍ଚୋଟପଣିଆ ଓ ନିଷ୍ଠାପରତା ତଥା ଅନୁଶାସନ ଓ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସାହସିକତା ଓ ନିର୍ଭିକ ସ୍ୱଭାବ ସହ କିରଣ ବେଦୀଙ୍କ ପରେ ସବୁଠୁ ଶକ୍ତିଶାଳୀ ମହିଳା ଆଇପିଏସ ଅଫିସର ଭାବେ ଡି ରୂପା ମୋଦଗିଲ ଖୁବ ଜଣାଶୁଣା । ୨୦୦୦ ସର୍ବଭାରତୀୟ ପ୍ରଶାସନିକ ସେବାରେ ୪୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହେବା ସହ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଟ୍ରେନିଂରେ ପଂଚମ ସ୍ଥାନ ପାଇ ଚର୍ଚାକୁ ଆସିଥିବା ଆଇପିଏସ ଅଫିସର ଡି ରୂପା ମୋଦଗିଲ କର୍ଣ୍ଣାଟକ କୁବେମ୍ପ ବିଶ୍ୱ ବିଦ୍ୟାଳୟରୁ ସ୍ନାତକରେ ଗୋଲ୍ଡ ମେଡାଲିଷ୍ଟ ପ୍ରାପ୍ତ । ନିଜ ଦୃଢ କାର୍ଯ୍ୟଶୈଳୀ ପାଇଁ ଦେଶର ପ୍ରମୁଖ ଆଇପିଏସ ଅଫିସର ମାନଙ୍କ ତାଲିକାରେ ସେ ଜଣାଶୁଣା ।
୪୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୨୦ ଥର ଟ୍ରାନ୍ସଫର ହୋଇଥିବା ରୂପା କ୍ୟାରିଅରରେ ଅନେକ ବଡ ବଡ ମାମଲାର ସମାଧାନ କରିଛନ୍ତି । କାର୍ଯ୍ୟକ୍ଷେତ୍ରରେ ମିଳିଥିବା ଅଶାତୀତ ସଫଳତା ଆଜି ତାଙ୍କୁ କୌଣସି ସେଲିବ୍ରଟିଠୁ କମ ମାନ୍ୟତା ଦେଉନାହିଁ । ଅନେକ କେସ୍ ହାତକୁ ନେଇଥିବା ବେଳେ ୨୦୦୪ ମଧ୍ୟପ୍ରଦେଶର ହୁବଲୀ ଅଦାଲତର ଆଦେଶରେ ତତ୍କାକାଳୀନ ମୂଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରି ଚର୍ଚାରେ ଆସିଥିଲେ ଡି ରୂପା ।
ତାମିଲନାଡୁ ଜେଲ ଡିଆଇଜି ଥିବା ବେଳେ ନିଜ ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଜୟଲଳିତାଙ୍କର ନିକଟ ସହଯୋଗୀ ଶଶିକାଳାଙ୍କ ଭଳି ପ୍ରମୁଖ ନେତାଙ୍କୁ ଜେଲରେ ମିଳୁଥିବା ଅନାବଶ୍ୟକ ସୁବିଧାକୁ ଲୋକଲୋଚନକୁ ଆଣି ସେମାନଙ୍କ ପର୍ଦ୍ଦାଫାସ କରିଥିଲେ । ୨୦୧୩ରେ ବେଙ୍ଗାଲୁରୁର ସିଟି ଆର୍ମଡ ରିଜର୍ଭରେ ଡିସିପି ଭାବେ ଯୋଗ ଦେବା ପରେ ଖାଲି ଏମ.ଏଲ.ଏ ଓ ଏମ.ପି ମାନେ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପାଙ୍କୁ ମଧ୍ୟ ନିୟମ ବାହାରେ ନେଇଥିବା ଅନୁସରଣକାରୀ ଗାଡିର ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏପରି ଅନେକ ଥର ସେ ରାଜନେତା ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମାନଙ୍କ ବିରୋଧରେ ସେମାନଙ୍କ ଭୁଲ କାର୍ଯ୍ୟାକଳାପକୁ ସାମ୍ନାକୁ ଆଣି ଟ୍ରାନସ୍ଫର ଓ ଚାପର ଶିକାର ହୋଇଛନ୍ତି । ହେଲେ ଏସବୁ ଡି ରୂପାଙ୍କ ମଜବୁତ ଚିନ୍ତାଧାରା କିମ୍ବା କାର୍ଯ୍ୟ ଦକ୍ଷତା ଉପରେ କୌଣସି ଆଂଚ ଆସିବାକୁ ଦେଇନାହିଁ । ଫିଲ୍ମରେ ଏପରି ପୋଲିସ ବେଶରେ ହିରୋ ବା ହିରୋଇନର ଦୃଢ ଅଭିନୟ ଆମ ମନ ଛୁଇଁଥାଏ ହେଲେ ବାସ୍ତବ ଜୀବନରେ ସେ ହେଉଛନ୍ତି ପ୍ରକୃତ ନାୟକ ।