ଖୋଲିବ କି ପରୀ ମୃତ୍ୟୁ ରହସ୍ୟ । ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲଙ୍କୁ ଧରିଥିବା ଆଇଜି ଅରୁଣ ବୋଥ୍ରାଙ୍କ ଉପରେ ସମସ୍ତଙ୍କ ନଜର

336

କନକ ବ୍ୟୁରୋ : ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲା ଏପରି ଜଟିଳ ଥିଲା ଯେ ଓଡ଼ିଶା ପୁଲିସର ମୁଣ୍ଡ ଘୁରି ଯାଇଥିଲା । ମାମଲାର ସମାଧାନ ପାଇଁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ ।

ଗୋଟିଏ ଚିଠିକୁ ଆଧାର କରି ଅପରାଧୀ ପାଖରେ ପହଁଚି ଯାଇଥିଲେ ଆଇଜି ଅରୁଣ ବୋଥ୍ରା । ଚିଠିର ହ୍ୟାଣ୍ଡ ରାଇଟିଂ ନୁହେଁ, ଲେଖାର ଷ୍ଟାଇଲକୁ ଅନୁଧ୍ୟାନ କରି ପାର୍ସଲ ବୋମାର ଖଳନାୟକ ପୁଂଜିଲାଲ ମେହର ନିକଟରେ ପହଁଚି ଯାଇଥିଲେ । ଏହି ମାମଲାରେ ତାଙ୍କର ତଦନ୍ତର ଶୈଳୀ କୌଣସି ବଲିଉଡ କାହାଣୀ ଠାରୁ କମ ନଥିଲା । ଇଂରାଜୀରେ ଲେଖା ଯାଇଥିବା ଚିଠିର ଗୋଟିଏ ଶବ୍ଦର ଖିଅକୁ ଧରି ଅରୁଣ ବୋଥ୍ରା ଜାଣି ପାରିଥିଲେ ଅପରାଧର ଜାଲ ବୁଣିଛନ୍ତି ଜଣେ ଇଂରାଜୀ ଅଧ୍ୟାପକ ।

କେବଳ ପୁଂଜିଲାଲ ନୁହେଁ ଅନେକ ହାଇପ୍ରୋଫାଇଲ ମାମଲାର ପର୍ଦ୍ଦାଫାସ କରିଛନ୍ତି ଅରୁଣ ବୋଥ୍ରା । ତେଣୁ ଆଶା କରାଯାଉଛି ପରୀ ମୃତ୍ୟୁର ରହସ୍ୟ ଖୋଲିବାରେ ସମର୍ଥ ହୋଇପାରିବେ ଏହି ଆଇପିଏସ ଅଧିôକାରୀ ।

ବହୁଚର୍ଚ୍ଚିତ ସାରଥୀ ମାମଲା ଓ ସୁର ବାବା ମାମଲାର ତଦନ୍ତ ମଧ୍ୟ କରିଥିଲେ ଅରୁଣ ବୋଥ୍ରା । ଜଟିଳ ମାମଲାର ସରଳ ସମାଧାନ କରିବାରେ ତାଙ୍କର ବେଶ ଦକ୍ଷତା ଥିବା କୁହାଯାଏ । ପରୀ ମୃତ୍ୟୁ ମାମଲାର ତଦନ୍ତ ଏବେ ତାଙ୍କର ଉପରେ ରହିଛି । ୫ ଜଣିଆ ଏସଆଇଟିର ମୁଖ୍ୟ ରହିଛନ୍ତି ଏହି ଆଇପିଏସ ଅଧିକାରୀ । ହାଇକୋର୍ଟ ତତ୍ୱାବଧାନରେ ପରୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ ହେବ । ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିବା ଏହି ମାମଲାରେ ସେ କିପରି ତଦନ୍ତ କରୁଛନ୍ତି, କିପରି ପରୀ ମୃତ୍ୟୁର ରହସ୍ୟ ଉନ୍ମୋଚନ କରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।