ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ।

827

କନକ ବ୍ୟୁରୋ : ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର । ଅତିରିକ୍ତ ଡିଜି ରାଙ୍କକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଚର୍ଚ୍ଚିତ ଥିଲେ ଅରୁଣ ବୋଥ୍ରା ।

୧୯୯୬ ବ୍ୟାଚର ଏହି ଆଇପିଏସ ଅଫିସର ପାଟଣାଗଡ ଠାରୁ ଆରମ୍ଭ କରି ସାରଥି ଏବଂ ପରି ପ୍ରସଙ୍ଗରେ ତଦନ୍ତ କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ଖାସ କରି ପରି ଘଟଣାରେ ହତ୍ୟାର ୫ମାସ ପରେ ଅପରାଧୀକୁ ଧରିବା ପାଇଁ ସେ ଯେଉଁ ତରିକା ଆପଣେଇଥିଲେ ତାହା ବେଶ ପ୍ରଶଂସିତ ମଧ୍ୟ ହୋଇଥିଲା । ପୂର୍ବରୁ କ୍ରାଇମଂବ୍ରାଂଚରେ କାମ କରିଥିବା ଅରୁଣ ବୋଥ୍ରା ଏବେ କ୍ରୁଟ ଏବଂ ଓଏସଆରଟିସିରେ କାର୍ଯ୍ୟରତ ଅଛନ୍ତି । ଅନୁମାନ କରାଯାଉଛି ପଦୋନ୍ନତି ପରେ ତାଙ୍କୁ ପୋଲିସ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ଦିଆଯାଇପାରେ ।

ବହୁଚର୍ଚ୍ଚିତ ସାରଥୀ ମାମଲା ଓ ସୁର ବାବା ମାମଲାର ତଦନ୍ତ ମଧ୍ୟ କରିଥିଲେ ଅରୁଣ ବୋଥ୍ରା । ଜଟିଳ ମାମଲାର ସରଳ ସମାଧାନ କରିବାରେ ତାଙ୍କର ବେଶ ଦକ୍ଷତା ଥିବା କୁହାଯାଏ । ପରୀ ମୃତ୍ୟୁ ମାମଲାର ତଦନ୍ତ ଏବେ ତାଙ୍କର ଉପରେ ରହିଛି । ୫ ଜଣିଆ ଏସଆଇଟିର ମୁଖ୍ୟ ରହିଛନ୍ତି ଏହି ଆଇପିଏସ ଅଧିକାରୀ ।

ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲା ଏପରି ଜଟିଳ ଥିଲା ଯେ ଓଡ଼ିଶା ପୁଲିସର ମୁଣ୍ଡ ଘୁରି ଯାଇଥିଲା । ମାମଲାର ସମାଧାନ ପାଇଁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ ।

ଗୋଟିଏ ଚିଠିକୁ ଆଧାର କରି ଅପରାଧୀ ପାଖରେ ପହଁଚି ଯାଇଥିଲେ ଆଇଜି ଅରୁଣ ବୋଥ୍ରା । ଚିଠିର ହ୍ୟାଣ୍ଡ ରାଇଟିଂ ନୁହେଁ, ଲେଖାର ଷ୍ଟାଇଲକୁ ଅନୁଧ୍ୟାନ କରି ପାର୍ସଲ ବୋମାର ଖଳନାୟକ ପୁଂଜିଲାଲ ମେହର ନିକଟରେ ପହଁଚି ଯାଇଥିଲେ । ଏହି ମାମଲାରେ ତାଙ୍କର ତଦନ୍ତର ଶୈଳୀ କୌଣସି ବଲିଉଡ କାହାଣୀ ଠାରୁ କମ ନଥିଲା । ଇଂରାଜୀରେ ଲେଖା ଯାଇଥିବା ଚିଠିର ଗୋଟିଏ ଶବ୍ଦର ଖିଅକୁ ଧରି ଅରୁଣ ବୋଥ୍ରା ଜାଣି ପାରିଥିଲେ ଅପରାଧର ଜାଲ ବୁଣିଛନ୍ତି ଜଣେ ଇଂରାଜୀ ଅଧ୍ୟାପକ ।