ଆଇପିଏଲକୁ ନେଇ ବଡ ଖବର । ମହାରାଷ୍ଟ୍ରର ୩ଟି ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍!

162

କନକ ବ୍ୟୁରୋ: ଚଳିତ ବର୍ଷ ଭାରତରେ ହିଁ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । କୋଭିଡ୍ ସଂକ୍ରମଣ ଭିତରେ ଏନେଇ ଆସିଛି ବଡ ଖବର । ତେବେ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ସମ୍ଭବ ନହେଲେ ମଧ୍ୟ କିଛି ନିିର୍ଦ୍ଧିଷ୍ଟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶେଷକରି ମୁମ୍ବାଇ ସହରର ୩ଟି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।

କରୋନା କାରଣରୁ ଚଳିତବର୍ଷ ଆଇପିଏଲ୍ ବିଦେଶ ମାଟିରେ ଆୟୋଜନ ହେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା, ହେଲେ ଏବେ ତା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ । ଚଳିତ ବର୍ଷ ସଂକ୍ରମଣ କାରଣରୁ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ଯଦି ସମ୍ଭବ ନହୁଏ, ତେବେ ମଧ୍ୟ କେବଳ ମୁମ୍ବାଇରେ ଏହାକୁ ଆୟୋଜନ କରାଯିବ । ଖବର ସରବରାହ ସଂସ୍ଥା ଏଏନଆଇକୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ କେବଳ ମୁମ୍ବାଇ ସହରରେ ଆଇପିଏଲ୍ ଆୟୋଜନ ହୋଇପାରେ । ୱାଙ୍ଖଡେ ଷ୍ଟାଡିୟମ ସହିତ, କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ, ଡିୱାଇ ପାଟିଲ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଇପାରେ । ତେବେ ଅଧିକ ଆବଶ୍ୟକ ପଡିଲେ ପୁନେର କିଛି ଗ୍ରାଉଣ୍ଡକୁ ମଧ୍ୟ ବ୍ୟବହାର କରାଯାଇପାରେ ବୋଲି ଏହି ଅଧିକାରୀ ଏଏନଆଇକୁ କହିଛନ୍ତି । ଏଥିସହିତ ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଦର୍ଶକମାନଙ୍କୁ ସିଧାସଳଖ ମ୍ୟାଚ୍ ଦେଖିବାର ଅନୁମତି ମିଳିବ ନାହିଁ । ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ।