ଦିନେ ବାପା ମାରିବାକୁ ଚାହୁଁଥିଲେ, ଆଜି ବୋଲରଙ୍କ ହୋସ ଉଡ଼ାଉଛନ୍ତି ପାୱେଲ । ଚର୍ଚ୍ଚାରେ କାରବିୟାନ ଅଲରାଉଣ୍ଡର ରବମ୍ୟାନ ପାୱେଲ

ବୋଲରଙ୍କ ହୋସ ଉଡ଼ାଉଛନ୍ତି ପାୱେଲ

436

କନକ ବ୍ୟୁରୋ:  ପୋଲାଡ, ବ୍ରାଭୋ, ସାମିଙ୍କ ପରେ ଆଉ ଜଣେ କ୍ୟାରିବିଆନ୍ ଖେଳାଳୀ ଆଇପିଏଲରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଏ ସମସ୍ତ ଖେଳାଳୀ ନିଜର ଖେଳ ଆଉ ଭିନ୍ନ ଶୈଳୀପାଇଁ ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ବେଳେ ଏବେ ଆଉ ଜଣେ ଖେଳାଳୀ ଚର୍ଚ୍ଚାକୁ ଆସିଛନ୍ତି । ଆଇପିଏଲର ଚଳିତ ସିଜିନରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରବମ୍ୟାନ୍ ପାୱେଲ ନିଜର ବ୍ୟାଟିଂରେ ଧମାଲ ମଚାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଏହି ଖେଳାଳୀ ଜଣଙ୍କ ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀରେ ପ୍ରମୁଖ ଭୂମିକା ନେଇଥିଲେ । ଦିଲ୍ଲୀ ମ୍ୟାଚରେ ୨୧ ରରେ ବିଜୟୀ ହୋଇଥିଲା । ପାୱେଲ ୩୫ ବଲରେ ୬୭ ରନର ପାଳି ଖେଳିଥିଲେ । ୬ଟି ଲମ୍ବା ଛକା ମାରିବା ସହ ଉମରାନ ମଲ୍ଲିକ ସନ ଏବୋଟଙ୍କର ଧୁଲେଇ କରିଥିଲେ । ୧୯୧.୪୩ ଷ୍ଟ୍ରାଇକ ରେଟ ସହ ସେହି ଏହି ଦମଦାର ଇନିଂସ ଖେଳିଥିଲେ । ୨୮ ବର୍ଷୀୟ ପାୱେଲଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜି ୨ କୋଟି ୮୦ ଲକ୍ଷରେ କିଣିଥିଲା ।

ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ପାୱେଲଙ୍କ ପିଲା ଦିନ ସଂଘର୍ଷପୂର୍ଣ୍ଣ ଥିଲା । ଜାମାଇକାରେ ଜନ୍ମିତ ପାୱେଲଙ୍କୁ ତାଙ୍କ ମାଆ ଏବଂ ଭଉଣୀ ପାଳିପୋଷି ମଣିଷ କରିଛନ୍ତି । ଦିନେ ତାଙ୍କ ବାପା ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସେ ତାଙ୍କ ମାଆଙ୍କ ଗର୍ଭରେ ଥିଲେ ସେତେବେଳେ ତାଙ୍କ ବାପା ତାଙ୍କର ଗର୍ଭପାତ କରିବା କରିବା ପାଇଁ ଚାହିଁଥିଲେ । ତେବେ ତାଙ୍କ ମାଆ ଏଥିରେ ଅରାଜି ହେବା ସହ ତାଙ୍କ ଜୀବନ ବଞ୍ଚାଇଥିଲେ । ଆଜି ସେହି ପାୱେଲ ଦେଶ ତଥା ତାଙ୍କ ମାଆଙ୍କ ନାଁକୁ ସାରା ବିଶ୍ୱରେ ପରିଚିତ କରାଇପାରିଛନ୍ତି । ରବମ୍ୟାନ ପାୱେଲଙ୍କ ମାଆ ତାଙ୍କ ଭଉଣୀ ଏବଂ ତାଙ୍କୁ ପାଠପଢାଇବା ପାଇଁ ଅନ୍ୟମାନଙ୍କ ଘରକୁ ଯାଇ କପଡା ଧୋଉଥିଲେ । ୨୦୧୯ରେ ସେ ନିଜ ମାଆଙ୍କୁ କାର ଉପହାର ଦେଇଥିଲେ । ଗୋଟିଏ ସାକ୍ଷାତକାରରେ ପାୱେଲଙ୍କ ମାଆ କହିଥିଲେ, ସେ ଛୋଟବେଳେ ବହୁତ ଦୁଷ୍ଟ ଥିଲେ । ତେବେ ସେ ବୁଝିବାସୁଝିବା ପିଲା ବି ଥିଲେ । ଯେତେବେଳେ ବି ପାୱେଲ କୌଣସି ବିଷମ ପରିସ୍ଥିତିରେ ଥାନ୍ତି ସେ ଏହା ଭାବିଥାନ୍ତି ଯେ ସେ ଏହା ନିଜ ପାଇଁ ନୁହେଁ ନିଜ ମାଆ ଏବଂ ଭଉଣୀ ପାଇଁ କରୁଛନ୍ତି, ଯାହାଙ୍କୁ ସେ ବହୁତ ଭଲ ପାଇଥାନ୍ତି ।