କେବେ ମିଳିଥିଲା ଝାଡୁ ମାରିବା ଚାକିରି, ଏବେ ଆଇପିଏଲ ବନାଇଦେଲା ଷ୍ଟାର । ଜାଣନ୍ତୁ ରିଙ୍କୁଙ୍କ ସଂଘର୍ଷମୟ କ୍ରିକେଟ ଯାତ୍ରା ବାବଦରେ କିଛି ।

272

କନକ ବ୍ୟୁରୋ :  ଚଳିତ ଆଇପିଏଲରେ ଅନେକ ନୂଆ ପ୍ରତିଭା ନିଜର ଦମଦାର ପ୍ରଦର୍ଶନ ବଳରେ ଏବେ ଚର୍ଚ୍ଚାରେ ରହିଛନ୍ତି । ଆଉ ସେହି ଯୁବ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିଙ୍କୁ ସିଂ । ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋଲକାତା ପକ୍ଷରୁ ଡେବ୍ୟୁ କରିଥିବା ରିଙ୍କୁ ସିଂ ପ୍ରଥମ ମ୍ୟାଚରେ ହିଁ ନିଜ ପ୍ରଦର୍ଶନ ଜରିଆରେ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ।

ଡେବ୍ୟୁ ମ୍ୟାଚରେ ଫିଲ୍ଡିଂ ସମୟରେ ୪ଟି କ୍ୟାଚ୍ ନେଇଥିବା ରିଙ୍କୁ ବ୍ୟାଟିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ହିଁ ୩୫ ରନର ଇନିଂସ ଖେଳିଥିଲେ ରିଙ୍କୁ । ଯେଉଁଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ରିଙ୍କୁକ ଏହି ଇନିଂସ ସତ୍ତେ୍ୱ ମଧ୍ୟ କୋଲକାତା ପରାଜିତ ହୋଇଥିଲା । ତେବେ ନିଜ ପ୍ରଦର୍ଶନ ବଳରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ ରିଙ୍କୁ  ।

୧୨ ଅକ୍ଟୋବର ୧୯୯୭ରେ ଉତ୍ତରପ୍ରଦେଶର ଆଲିଗଡରେ ଜନ୍ମିତ ରିଙ୍କୁଙ୍କ କ୍ରିକେଟ ଯାତ୍ରା ଏତେ ସହଜ ନଥିଲା । ବାପା ଗ୍ୟାସ ସିଲିଣ୍ଡର ଡେଲିଭରୀ କାମ କରୁଥିବା ବେଳେ ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିଲା ।  ତେବେ ଛୋଟବେଳୁ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିବା ରିଙ୍କୁଙ୍କ ପାଇଁ ସବୁଠୁ ବଡ ସମସ୍ୟା ଥିଲା ଅର୍ଥ । ଆଉ ଅର୍ଥାଭାବ କାରଣରୁ ରିଙ୍କୁଙ୍କ ଏହି ସ୍ୱପ୍ନ ମଧ୍ୟ ଧୀରେ ଧୀରେ ମଉଳିବା ଆରମ୍ଭ ହୋଇଥିଲା ।  କିନ୍ତୁ ରିଙ୍କୁଙ୍କ ମନୋବଳ ଭାଙ୍ଗିନଥିଲା ।

ନିଜର ସ୍ୱପ୍ନକୁ ପୂରା କରିବାକୁ ପ୍ରଥମେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ ରିଙ୍କୁ । କିନ୍ତୁ ଅଧିକ ପାଠ ପଢିନଥିବାରୁ ରିଙ୍କୁଙ୍କୁ ପ୍ରଥମେ ଝାଡୁ ମାରିବାର ଚାକିରି ମିଳିଥିଲା । ତେବେ ଏହି ଚାକିରି କରିବା ଭିତରେ କ୍ରିକେଟରେ ପୂରା ମନୋନିବେଶ କରିବାକୁ ମନ ବଳାଇଥିଲେ ରିଙ୍କୁ । ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ରିଙ୍କୁଙ୍କ ସଂଘର୍ଷମୟ ଯାତ୍ରା । ଆର୍ଥିକ ଅନାଟନ ଥିଲା କିନ୍ତୁ କ୍ରିକେଟ ଖେଳିବା ଛାଡିନଥିଲେ ରିଙ୍କୁ । ଆଉ କଠିନ ପରିଶ୍ରମ ହିଁ ତାଙ୍କୁ ସଫଳତା ଆଣି ଦେଇଥିଲା । ୨୦୧୪ ମସିହାରେ ପ୍ରଥମଥର ଉତ୍ତରପ୍ରଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା ।  ଆଉ ଏହାର ୨ ବର୍ଷ ପରେ ପଞ୍ଜାବ ବିପକ୍ଷରେ ପ୍ରଥମଶ୍ରେଣୀ ମ୍ୟାଚରେ ଡେବ୍ୟୁ କରିଥିଲେ ରିଙ୍କୁ  ।ଆଉ ଏହାପରେ ପଛକୁ ଫେରିନଥିଲେ ରିଙ୍କୁ । ଏବେ ସୁଦ୍ଧା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ୫ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ବଳରେ ୨୩୦୭ ରନ୍ କରିଛନ୍ତି ରିଙ୍କୁ ।

ପ୍ରଥମ ଶ୍ରେଣୀ ମ୍ୟାଚରେ ଦମଦାର ପ୍ରଦର୍ଶନ ଦେଖି ୨୦୧୭ରେ ତାଙ୍କୁ ଆଇପିଏଲରେ ଖେଳିବାକୁ ଡାକରା ଆସିଥିଲା । ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳିବାକୁ ରିଙ୍କୁଙ୍କୁ ସୁଯୋଗ ମିଳିଥିଲା । ପରେ ୨୦୧୮ରେ ରିଙ୍କୁ କୋଲକାତା ଟିମରେ ସାମିଲ ହୋଇଥିଲେ । ଆଉ ଚଳିତ ମହାନିଲାମୀରେ ରିଙ୍କୁ ସିଂଙ୍କୁ ୫୫ ଲକ୍ଷ ଟଙ୍କାରେ କିଣିଥିଲା କୋଲକାତା । ଆଉ ପ୍ରଥମ ମ୍ୟାଚରେ ହିଁ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ରିଙ୍କୁ ।