ଆଇପିଏଲକୁ ଆଉ ୩ ଦିନ – ପ୍ରସ୍ତୁତ ୟୁଏଇ : ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ

356

କନକ ବ୍ୟୁରୋ : ଆଇପିଏଲକୁ ଆଉ ମାତ୍ର ୩ ଦିନ ବାକି । ଏହା ମଧ୍ୟରେ ପ୍ରସ୍ତୁତ ହୋଇଯାଇଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ ।

ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ ଜୟ ଶାହା ବୁଧବାର ନିଜ ଟ୍ୱିଟ୍ ରେ ଆବୁଧାବି ଓ ଦୁବାଇର ଫଟୋକୁ ସେୟାର କରିଛନ୍ତି । ତେବେ ଏହି ଫଟୋରେ ଉଭୟ ଷ୍ଟାଡିୟମ ଆଲୋକରେ ଝଲସୁଥିବାର ନଜର ଆସିଥିଲା । ଆଲୋକରେ ସଜ୍ଜିତ ହୋଇଥିବା ଏହି ଷ୍ଟାଡିୟମ ବେଶ ଆକର୍ଷଣୀୟ ଦେଖାଯାଉଥିଲା ।

ଚଳିତ ଆଇପିଏଲରେ ମୋଟ ୫୬ ମ୍ୟାଚ ୟୁଏଇରେ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ ଖେଳାଯିବ । ସେହିପରି ୧୨ଟି ଲିଗ ମ୍ୟାଚ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଅନ୍ୟପକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ଶାରଜାହ ଷ୍ଟାଡିୟମ ଗସ୍ତରେ ଯାଇଥିଲେ । ସେଠାରେ ସେ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ତେବେ ଚଳିତ ଆଇପିଏଲ ମ୍ୟାଚ ଏହି ୩ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି ।

କୋଭିଡ-୧୯ ପାଇଁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେଉଛି । କୋଭିଡର ସମସ୍ତ ନିୟମ ପାଳନ କରି ଖେଳିବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେଥିପାଇଁ ବିସିସିଆଇ ସମସ୍ତ କୋଭିଡ ନିୟମ ପାଳନ କରି ଆଇପିଏଲ ଆୟୋଜନ କରୁଛି ।