କନକ ବ୍ୟୁରୋ : ଆଇପିଏଲ ୨୦୨୩ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଟାଇଟଲ ପାଇଁ ୧୦ଟି ଟିମ୍ ମଧ୍ୟରେ ହେବ ଘମାଘୋଟ ଲଢେଇ । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ୍ ସହ ଆରମ୍ଭ ହେବ ଚଳିତ ବର୍ଷର ଆଇପିଏଲ ମହାସମର । ତେବେ ଚଳିତ ଆଇପିଏଲ ନୂଆ ନିୟମ ସହ ଖେଳାଯିବ ।ଯାହା ଆଇପିଏଲକୁ ଆହୁରି ରୋମାଞ୍ଚକର କରିବ । ଏହା କେବଳ ମ୍ୟାଚର ମୋଡ ବଦଳାଇବନି ବରଂ କ୍ରିକେଟପ୍ରେମୀଙ୍କୁ ନୂଆ ଅନୁଭୂତି ଆଣିଦେବ । ତେବେ କେଉଁ ନୂଆ ନିୟମ ଚଳିତ ଆଇପିଏଲରେ ଦେଖିବାକୁ ମିଳିବ ତାହା ଉପରେ ଥରେ ନଜର ପକାନ୍ତୁ ।

Advertisment

ଟସ୍ ପରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ
ଚଳିତ ଆଇପିଏଲରେ ଟସ୍ ପଡିବା ପରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରିବେ ଅଧିନାୟକ । ଟସ୍ ପଡିବା ବେଳେ ଅଧିନାୟକ ୨ଟି ଲିଷ୍ଟ ସାଙ୍ଗରେ ଧରି ଯିବେ । ଏହାପୂର୍ବରୁ ଟସ୍ ପଡିବା ବେଳେ ଚୂଡାନ୍ତ ଏକାଦଶର ଗୋଟିଏ ଲିଷ୍ଟ ହିଁ ମ୍ୟାଚ୍ ରେଫରୀଙ୍କୁ ଦେବାକୁ ପଡୁଥିଲା । ଆଉ ଏହି ଲିଷ୍ଟକୁ କୌଣସି ପରିସ୍ଥିତିରେ ବଦଳାଇ ଯାଇ ପାରୁନଥିଲା । କିନ୍ତୁ ନୂଆ ନିୟମରେ ଟସ୍ ପଡିବା ପରେ ପରିସ୍ଥିତିକୁ ଦେଖି ଅଧିନାୟକ ନିଜର ଚୂଡାନ୍ତ ଏକାଦଶ ସ୍ଥିର କରିପାରିବେ । ୨ଟି ତାଲିକା ମଧ୍ୟରୁ ଯେକୌଣସି ଗୋଟିଏ ତାଲିକାକୁ ଚୟନ କରିପାରିବେ ଅଧିନାୟକ । ତେବେ ଚୂଡାନ୍ତ ଏକାଦଶର ତାଲିକାରେ ୫ ଜଣ ସବଷ୍ଟିଚ୍ୟୁଟ୍ ଖେଳାଳୀଙ୍କ ନାଁ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା ଫ୍ରାଞ୍ଚାଇଜକୁ ନିଜର ସର୍ବଶ୍ରେଷ୍ଠ ଟିମ୍ ଚୟନ କରିବାର ସୁଯୋଗ ମିଳିପାରିବ ।

ୱାଇଡ ଓ ନୋ ବଲ ପାଇଁ ଡିଆରଏସ

ଆଇପିଏଲ ୨୦୨୩ର ମ୍ୟାଚ୍ ଗୁଡିକୁ ତ୍ରୁଟିଶୂନ୍ୟ କରିବାକୁ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଥାର୍ତ ଚଳିତ ଆଇପିଏଲରେ ୱାଇଡ ଓ ନୋ ବଲ ପାଇଁ ଡିଆରଏସ ସୁବିଧା ଉପଲବ୍ଧ ହେବ । ଏହାପୂର୍ବରୁ କେବଳ ଆଉଟ ଓ ନଟଆଉଟ ପାଇଁ ଡିଆରଏସ ଲାଗୁ ହେଉଥିଲା । ପୂର୍ବ ସିଜିନ ଗୁଡିକରେ ୱାଇଡ ଓ ନୋ ବଲକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ଯାହାଦ୍ୱାରା ମ୍ୟାଚର ଫଳାଫଳ ମଧ୍ୟ ବଦଳି ଯାଇଛି । ତେଣୁ ଏହାର ପୁନରାବୃତ୍ତି ଯେପରି ନହେବ ସେଥିପାଇଁ ଏହି ନୂଆ ନିୟମ ଲାଗୁ କରାଯାଇଛି ।

ଇମ୍ପାକ୍ଟ ପ୍ଲେୟାର ନିୟମ :
ଚଳିତ ଆଇପିଏଲକୁ ଅଧିକ ରୋମାଞ୍ଚକର କରିବ ଇମ୍ପାକ୍ଟ ପ୍ଲେୟାର ନିୟମ ।ଟସ୍ ସମୟରେ ଅଧିନାୟକ ଚୂଡାନ୍ତ ଏକାଦଶ ସହ ଦେଇଥିବା ୫ ସବଷ୍ଟିଚ୍ୟୁଟ୍ ଖେଳାଳୀଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଦଳରେ ସାମିଲ କରାଯାଇପାରିବ । ତେବେ ଏହି ନିୟମର ଫାଇଦା ମ୍ୟାଚର ୧୪ ତମ ଓଭର ମଧ୍ୟରେ ନେଇପାରିବେ ଦଳ । ଏହି ଇମ୍ପାକ୍ଟ ପ୍ଲେୟାର କୌଣସି ଖେଳାଳୀଙ୍କ ବିକଳ୍ପ ଭାବେ ବ୍ୟାଟିଂ ଓ ବୋଲିଂ କରିପାରିବେ । ତେବେ ବର୍ଷା କାରଣରୁ ଯଦି ମ୍ୟାଚ୍ ୧୦ ଓଭର ବିଶିଷ୍ଟ ହୁଏ ତେବେ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେବ ନାହିଁ ।

ୱିକେଟ କିପର ଓ ଫିଲ୍ଡରଙ୍କ ଭୁଲର ଦଣ୍ଡ ପୂରା ଟିମ୍ ପାଇବ :
ଆଇପିଏଲ ୨୦୨୩ର କୌଣସି ମ୍ୟାଚରେ ୱିକେଟ କିପର କିମ୍ବା ଫିଲ୍ଡର ବଲ ପଡିବା ପୂର୍ବରୁ ସ୍ଥାନ ପରିବର୍ତ୍ତନ କଲେ ଅମ୍ପାୟାର ଏହି ବଲକୁ ଡେଡ୍ ଘୋଷିତ କରିବେ ଏବଂ ପ୍ରତିପକ୍ଷ ଟିମକୁ ୫ ରନ୍ ମିଳିବ ।

ସ୍ଲୋ ଓଭର ପାଇଁ ସଜା :
ଆଇପିଏଲ ୨୦୨୩ରେ କୌଣସି ଟିମ୍ ଯଦି ନିର୍ଦ୍ଧାରିତ ସମୟରେ ଓଭର ଶେଷ ନ କରନ୍ତି ତେବେ ୩୦ ଗଜ ବାହାରେ କେବଳ ୪ ଜଣ ଖେଳାଳୀ ରହିପାରିବେ । ଯାହା ବ୍ୟାଟିଂ କରୁଥିବା ଟିମକୁ ଫାଇଦା ପହଞ୍ଚାଇବ ।