କରୋନା ପାଇଁ ମଉଳୁଛି ଆଇପିଏଲ୍ ଆୟୋଜନ ଆଶା । ଅନିର୍ଦିଷ୍ଟକାଳ ସ୍ଥଗିତ ରହିପାରେ ଟୁର୍ଣ୍ଣାମେଣ୍ଟ, ଗାଙ୍ଗୁଲିଙ୍କ ଇସାରା ମ୍ୟାଚ୍ ଆୟୋଜନ ଅପେକ୍ଷା ଦେଶ ବଡ଼ ।

167

କନକ ବ୍ୟୁରୋ : ଭାରତରେ କରୋନା ଆତଙ୍କ ଭିତରେ ଆଇପିଏଲ୍ କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ଖବର ନିରାଶ କରିବ । ୨୦୨୦ ଆଇପିଏଲ୍ ଟୁର୍ଣ୍ଣାମେଂଟ ଆୟୋଜନ ହେବା ନେଇ ଆଶା କମ୍ ଦେଖାଯାଉଛି । କାରଣ ବିସିସିଆଇ ଚଳିତ ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖିବା ନେଇ ବିଚାର କରୁଛି । ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି ହୋଇନି ।

ବର୍ତ୍ତମାନ କୋଭିଡ ୧୯ ଭୂତାଣୁର ମୁକାବିଲା ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ମେ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏହାରି ଭିତରେ ଆଇପିଏଲର ନିର୍ଦ୍ଧାରିତ ସମୟ ଅପ୍ରେଲରୁ ମେ ମାସ ମଧ୍ୟରେ ମ୍ୟାଚ୍ ଆୟୋଜନ ନେଇ ଆଶା କମ୍ ଦେଖିବାକୁ ମିଳିଲାଣି । ଆଇପିଏଲରେ ଅଂଶଗ୍ରହଣ କରୁଥିବା ସମସ୍ତ ୮ଟି ଯାକ ଦଳ, ଏହାର ପ୍ରସାରଣ ସଂସ୍ଥା ଗୁଡିକ ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଲୋଚନା କରୁଛନ୍ତି । ଏହାକୁ ଏବେ ସ୍ଥଗିତ ରଖିବା ନେଇ ଆଲୋଚନା ହୋଇଛି କିନ୍ତୁ ବାତିଲ ହେବା ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଦେଶରେ ଏବେ ଯେପରି କରୋନା ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦେଖିବାକୁ ଗଲେ ଆଇପିଏଲକୁ ଗୁରୁତ୍ୱ ଦିଆଯାଇପାରିବ ନାହିଁ । ପୂର୍ବରୁ ଆଇପିଏଲ ମାର୍ଚ୍ଚ ୨୯ରୁ ମେ ୨୪ ଯାଏଁ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ କରୋନା ପାଇଁ ଏହାକୁ ଅପ୍ରେଲ ୧୫ ଯାଏଁ ସ୍ଥଗିତ ରଖାଯାଇଥିଲା । ଏବେ ତାଲାବନ୍ଦ ଅବଧି ମେ ୩ ଯାଏଁ ବଢିବା ସହ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିବାରୁ ଆଗକୁ ଆଇପିଏଲ୍ ଆୟୋଜନ ହେବା ନେଇ ସନ୍ଦେହ ଦେଖାଦେଲାଣି ।