ହୋମ ଗ୍ରାଉଣ୍ଡରେ ଖେଳିବେନି ଧୋନୀ ବାହିନୀ ! କାବେରୀ ବିବାଦ ଦେଲା ଫ୍ୟାନଙ୍କୁ ବଡ ଝଟକା, ଚେନ୍ନାଇ ବାହାରେ ଖେଳିବ ସିଏସକେ ।

61

କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଯାଇଛି । ଆଉ ଏହି କାରଣରୁ ଚେନ୍ନାଇରୁ ଚଳିତ ଆଇପିଏଲର ସମସ୍ତ ମ୍ୟାଚ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି । କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନକୁ ନେଇ ତାମିଲନାଡୁରେ ରାଜନୈକ୍ର ଦଳ ଗୁଡିକର ବିରୋଧ ପ୍ରଦର୍ଶନ ଜାରି ରହିଛି । ଆଉ ଏହାକୁ ନେଇ ଚେନ୍ନାଇ ପୋଲିସ ଆଇପିଏଲ ମ୍ୟାଚରେ ସୁରକ୍ଷା ଦେବା ପାଇଁ ମନା କରିଦେଇଛି ।

ଦୀର୍ଘ ଦୁଇ ବର୍ଷ ପରେ ଗତକାଲି ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମ ଠାରେ ଆଇପିଏଲର ମ୍ୟାଚ ଖେଳାଯାଇଥିଲା । ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ସମୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଚଳିତ ଆଇପିଏଲରେ ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମ ଠାରେ ସାତୋଟି ମ୍ୟାଚ ଖେଳାଯିବା ନେଇ ସୂଚୀରେ ଉଲ୍ଲେଖ ରହିଥିଲା । ଯେଉଁଥିରୁ କେବଳ ଗୋଟିଏ ମ୍ୟାଚ ଖେଳ ଶେଷ ହୋଇଛି ।

ଆଇପିଏଲ କମିଶନର ରାଜୀବ ଶୁକ୍ଲା ସୁରକ୍ଷା ବଢାଯିବାକୁ ନେଇ କେନ୍ଦ୍ର ଗୃହ ସଚିବଙ୍କ ସହ କଥା ହୋଇଥିଲେ । ଚେନ୍ନାଇରେ ଆଇପିଏଲ ମ୍ୟାଚର ସୁରକ୍ଷା ପାଇଁ ସିଆରପିଏଫ ଡିଭିଜନ ନିମନ୍ତେ ପ୍ରସ୍ତାବ ରଖିଥିଲେ । କିନ୍ତୁ କୌଣସି ବ୍ୟବସ୍ଥା ହୋଇପାରିନଥିଲା । ଆଉ ଏହା ପରେ ଚେନ୍ନାଇରୁ ମ୍ୟାଚ ଗୁଡିକୁ ସ୍ଥାନାନ୍ତର କରାଯିବା ଛଡା ଆଉ କୌଣସି ରାସ୍ତା ନଥିଲା ।

ବିକ୍ଷୋଭକାରୀ ପଡିଆକୁ ଫୋପାଡିଲେ ଜୋତା :

ଆଇପିଏଲର ଗତକାଲି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ବିକ୍ଷୋଭକାରୀମାନେ ପଡିଆ ମଧ୍ୟକୁ ଜୋତା ଫୋପାଡିଥିଲେ । ଏପରିକି କିଛି ଯୁବ ବିକ୍ଷୋଭକାରୀ ପଡିଆ ମଧ୍ୟକୁ ପ୍ରବେଶ କରି ଜୋତା ଫୋପାଡିଥିଲେ ।

ଏହି ଘଟଣା କୋଲକାତା ଇନିଂସର ଅଷ୍ଟମ ଓଭରରେ ହୋଇଥିଲା । କ୍ରିକ୍ ଇନଫୋ ରିପୋର୍ଟ ଅନୁସାରେ, ଏହି ଜୋତା ସୀମାରେଖା ପାଖରେ ଫିଲଡିଂ କରୁଥିବା ଚେନ୍ନାଇର ଖେଳାଳୀ ରବିନ୍ଦ୍ର ଜାଡେଜାଙ୍କୁ ଲକ୍ଷ୍ୟ କରି ଫିଙ୍ଗା ହୋଇଥିଲା । ଏହି ଜୋତା ପଟ୍ଟାବିରାମନ ଗେଟ ଦିଗରୁ ଫିଙ୍ଗା ଯାଇଥିଲା ।

ଏହା ପରେ ଆଉ ଏକ ଜୋତା ଫିଙ୍ଗା ଯାଇଥିଲା ଯାହାକି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁ ପ୍ଲେସିଙ୍କ ଦେହରେ ବାଜିଥିଲା । ଏହାକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ ଡୁ ପ୍ଲେସି ଏବଂ ଜୋତାକୁ ଉଠାଇ ବାହାରକୁ ଫୋପାଡି ଦେଇଥିଲେ ।

ଡୁ ପ୍ଲେସି ଏହି ମ୍ୟାଚରେ ଖେଳୁନଥିଲେ । ଏହି ଲଜ୍ଜାଜନକ ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଦର୍ଶକମାନଙ୍କ ମଧ୍ୟରୁ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ପୋଲିସ କର୍ମୀ ଏବଂ ଚେନ୍ନାଇ ସୁପରକିଙ୍ଗସ ଅଧିକାରୀ ଷ୍ଟାଡିୟମ ପାଖରେ ପହଞ୍ଚିଥିଲେ ଏବଂ ସୀମାରେଖା ପାଖରେ ଥିବା ଲୋକମାନଙ୍କୁ ହଟାଇଥିଲେ ।
ଉଲ୍ଲେଖନୀୟ, ମ୍ୟାଚ ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭକାରୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରା ନିର୍ଦ୍ଦେଶିତ କାବେରୀ ମ୍ୟାନେଜମେଣ୍ଟ ଏବଂ କାବେରୀ ଜଳ ନିୟାମକ ସମିତି ଗଠନ ନକରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିଲେ ।