ଆଇପିଏଲ ମହାସମର ! ଆଉ କିଛି ସମୟ ପରେ ଫିରୋଜ ଶାହ କୋଟଲାରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ହେବ କଡ଼ା ଟକ୍କର ।

71

କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାସଂଗ୍ରାମ । ଆଉ କିଛି ସମୟ ପରେ ଦିଲ୍ଲୀ ଫିରୋଜ ଶାହା କୋଟଲା ମୈଦାନରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟଙ୍କ ପାଇଁ ଏହି ମ୍ୟାଚ୍ ନିଣ୍ଣାୟକ ମୋଡ଼ ନେବ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । କାରଣ ଚଳିତ ଆଇପିଏଲରେ ଉଭୟ ଦଳ ପୂର୍ବରୁ ମୁମ୍ବାଇର ହୋମ ଗ୍ରାଉଣ୍ଡ ୱାଙ୍ଖଡ଼େରେ ସାମ୍ନାସାମ୍ନି ହୋଇଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଉପରେ ଭାରି ପଡ଼ିଥିଲା । ଆଉ ରୋହିତ ବାହିନୀକୁ ତାଙ୍କ ଘରୋଇ ଗ୍ରାଉଣ୍ଡ ୱାଙ୍ଖଡ଼େରେ ଚିତ୍ କରିଥିଲା ଦିଲ୍ଲୀ ।

ଅନ୍ୟପଟେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ୫ଟିରେ ବିଜୟ ସହ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ମୁମ୍ବାଇ ମଧ୍ୟ ୮ଟି ମ୍ୟାଚ ଖେଳି ୫ଟିରୁ ବିଜୟ ହାସଲ କରି ୧୦ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେବେ ଉଭୟ ରନରେଟ୍ ଅଳ୍ପମାତ୍ରରେ ପାର୍ଥକ୍ୟ ରହିଥିବାରୁ ଉଭୟ ଆଗ ପଛ ହୋଇ ରହିଛନ୍ତି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଦିଲ୍ଲୀ କ୍ୟାପିଟାଲ୍ସର ଘରୋଇ ଗ୍ରାଉଣ୍ଡ ଫିରୋଜ ଶାହା କୋଟଲାରେ ଆଜିର ମ୍ୟାଚ୍ ଖେଳାଯିବ, ଯେଉଁଠାରେ ଦିଲ୍ଲୀର ରେକର୍ଡ଼ ସେତେ ପ୍ରଦର୍ଶନୀୟ ନୁହେଁ । ତେବେ ପୂର୍ବରୁ ମୁମ୍ବାଇକୁ ୱାଙ୍ଖଡ଼େ ହୋମଗ୍ରାଉଣ୍ଡରେ ପରାଜୟ ଦେଇଥିବା ଦିଲ୍ଲୀକୁ ଆଜି ଫିରୋଜଶାହାରେ ହରାଇ ବଦଲା ନେବାକୁ ରଣନୀତି କରିଛି ରୋହିତ ବ୍ରିଗେଡ୍ । ତେବେ ରାତି ୮ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ଉଭୟ ଦିଲ୍ଲୀ ଆଉ ମୁମ୍ବାଇ ଇଣ୍ଡିଆନ୍ସର ସମର୍ଥକମାନେ ଅପେକ୍ଷା କରି ରହିଛନ୍ତି ।