ଭାରତୀୟ ଖେଳାଳିଙ୍କ ଉପରେ ଗର୍ଜିଲେ ଗାଭାସ୍କର: ଆଇପିଏଲ ଖେଳିଲେ ଅସୁବିଧା ହେଉନି, ଦେଶ ପାଇଁ ଖେଳିଲେ ୱାର୍କଲୋର୍ଡ?

2,620

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଲଜ୍ଜାଜନକ ପରାଜୟ ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି ଟିମ ଇଣ୍ଡିଆର ଖେଳାଳି । ୧୦ ୱିକେଟରେ ବଡ ପରାଜୟର ଖରାପ ରେକର୍ଡ ପରେ ଫ୍ୟାନମାନଙ୍କ ଟାର୍ଗେଟରେ ରହିଛି ଭାରତୀୟ ଦଳ । କେବଳ ଫ୍ୟାନ ନୁହେଁ ଏବେ ପୂର୍ବତନ ଭାରତୀୟ ଖେଳାଳିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଟିମ ଇଣ୍ଡିଆର ଖେଳାଳି । ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କର ଭାରତର ବାରମ୍ବାର ଏଭଳି ଖରାପ ପ୍ରଦର୍ଶନ ପାଇଁ ଟିମ ଉପରେ ପ୍ରବଳ ବର୍ଷିଛନ୍ତି । ଆଉ କହିଛନ୍ତି, ଆଇଏପିଏଲ ଖେଳିଲେ ୱାର୍କଲୋର୍ଡ ହେଉନି । ହେଲେ ଭାରତ ପାଇଁ ଖେଳିଲେ କାହିଁକି ହେଉଛି ୱାର୍କଲୋର୍ଡର ବାହାନା ।

ଗାଭାସ୍କର ଆହୁରି କହିଛନ୍ତି କି, ଯଦି ତୁମେ ବିଶ୍ୱକପ ଜିତି ପାରିବନି ତ ଟିମରେ ପରିବର୍ତ୍ତନ ନିଶ୍ଚୟ ହେବ । ଯେମିତି କି ନ୍ୟୁଜିଲାଣ୍ଡ ଗସ୍ତରେ ହୋଇଛି । ତେବେ ୱାର୍କଲୋଡ ରହିଲା କେଉଁଠି । ଭାରତ ପାଇଁ ଖେଳିବା ବେଳକୁ କାହିଁକି ଖାଲି ୱାର୍କଲୋଡର ବାହାନା ଦିଆଯାଉଛି । ଆଇପିଏଲର ପୂରା ସିଜିନ ଖେଳୁଛନ୍ତି । ଭାରତର ସବୁ ଷ୍ଟାଡିୟମ ଟ୍ରାଭେଲ କରୁଛନ୍ତି । ସେତେବେଳେ କଣ ଖେଳାଳି ମାନେ ଥକୁ ନାହାନ୍ତି? ନା ସେତେବେଳେ ୱାର୍କଲୋର୍ଡ ରହୁନି? କେବଳ ଭାରତ ପାଇଁ ଖେଳିଲା ବେଳକୁ ୱାର୍କଲୋର୍ଡ ହେଉଛି । ଏହା ସମ୍ପୂର୍ଣ୍ଣ ଭୁଲ ।

ଭାରତୀୟ ଖେଳାଳିଙ୍କୁ ଆବଶ୍ୟକତାଠାରୁ ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ନାହିଁ । ଯଦି ତୁମେ ଫିଟ ଅଛ ତେବେ ୱାର୍କଲୋର୍ଡର ପ୍ରଶ୍ନ ହିଁ ଉଠୁନି । ଆମେ ଆପଣଙ୍କୁ ଟିମରେ ନେଉଛି, ଇଧିକ ଟଙ୍କା ଫିସ ବି ଦେଉଛୁ । ଯଦି ତୁମେ ୱାର୍କଲୋର୍ଡ ପାଇଁ ଖେଳି ପାରୁନ ତେବେ ଫିସ ବି କାଟିଦେବା ଦରକାର । ସେତେବେଳେ ସବୁ ଖେଳାଳି ୱାର୍କଲୋର୍ଡ ଭୁଲି ଖେଳିବାକୁ ଆସିବେ । ଏଭଳି କହି ଭାରତୀୟ ଖେଳାଳିଙ୍କୁ କଡା ଭାଷାରେ ସନ୍ଦେଶ ଦେଇଛନ୍ତି ଗାଭାସ୍କର ।

୨୦୨୨ ଟି-୨୦ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୫ଟି ମ୍ୟାଚରୁ ୪ ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ସମସ୍ତଙ୍କର ଆଶା ଥାଏ ହେଲେ ଭାରତ ଏଥର ଚାମ୍ପିୟନ ହେବ । ହେଲେ ସେମିଫାଇନାଲରେ ଭାରତର ସବୁ ଆଶା ମଉଳେଇ ଦେଇଥିଲା ଇଂଲଣ୍ଡ । ଏକତରଫା ଭାବେ ଇଂଲଣ୍ଡ ୧୦ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଟିମ ଇଣ୍ଡିଆର ଏଭଳି ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

୨୦୧୩ ପରଠୁ ଭାରତ କୌଣସି ବି ଆଇସିସି ଟ୍ରଫି ଜିତିପାରିନି । ଗତ ବର୍ଷ ଟି-୨୦ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟରୁ ବିଦା ହୋଇଥିଲା । ହେଲେ ଏଥିର ସେମିଫାଇନାଲ ଯାଏଁ ଯାଇଥିଲେ ବି ଫାଇନାଲ ଟିକେଟ ହାତେଇବାରେ ଦଳ ବିଫଳ ହୋଇଥିଲା । କେହି ବ୍ୟାଟିଂରେ କେଏଲ ରାହୁଲ, ରୋହିତ ଶର୍ମାଙ୍କ ଓପନିଂ ଯୋଡିକୁ ଏଥିପାଇଁ ଦାୟୀ କରୁଥିଲା ବେଳେ ଆଉ କେହି ଟିମ ଇଣ୍ଡିଆର ଦୁର୍ବଳ ବୋଲିଂ ଲାଇନକୁ ଦାୟୀ କରୁଛନ୍ତି । ବାରମ୍ବାର ବଡ ବଡ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ବିଫଳତା ପାଇଁ ଏବେ ଚିନ୍ତାରେ ବିସିସିଆଇ ।