ଆଇପିଏଲ ଟକ୍କର : ଆଜି ଚେନ୍ନାଇ ସୁପରକିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁକାବିଲା ; ବିଜୟ ବଜାୟ ଲକ୍ଷ୍ୟରେ ସୁପରକିଙ୍ଗସ୍

120

କନକ ବ୍ୟୁରୋ : ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଆଜି ଆବୁଧାବିରେ ରାତି ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ । ଗତ ମ୍ୟାଚରେ ପଂଜାବ ବିପକ୍ଷରେ ୧୦ ୱିକେଟ୍ ରେ ବିଜୟ ହାସଲ କରି ଚେନ୍ନାଇ ସୁପରକିଙ୍ଗସ୍ ଭଲ ଫର୍ମରେ ରହିଛି । ତେଣୁ ଦିନେଶ କାର୍ତ୍ତିକଙ୍କ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବିଜୟ ଧାରା ଜାରି ରଖିବାକୁ ଉଦ୍ୟମ କରିବ । ପଂଏଟ ଟେବୁଲରେ ଉଭୟ ଦଳ ୪ ପଏଂଟ ଲେଖାଏଁ ହାସଲ କରିଥିଲେ ମଧ୍ୟ ଚେନ୍ନାଇ ଉପରେ ରହିଛି କୋଲକାତା ।

 

କୋଲକାତା ୪ ମ୍ୟାଚରୁ ୨ଟି ବିଜୟ ସହିତ ୪ ପଏଂଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । ଚେନ୍ନାଇ ୫ ମ୍ୟାଚରୁ ୨ ବିଜୟ ସହିତ ୪ ପଏଂଟ ସହିତ ଟେବୁଲର ପଂଚମ ସ୍ଥାନରେ ରହିଛି । ତେଣୁ ପଏଂଟ ଟେବୁଲରେ ଉପରକୁ ଉଠିବାକୁ ଜୋରଦାର ଉଦ୍ୟମ କରିବ ଧୋନୀ ବାହିନୀ । ବର୍ତମାନ ସୁଦ୍ଧା ସିରିଜରେ ନୀରବ ରହିଥିବା କୋଲକାତା ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ବ୍ୟାଟରୁ ବଡ ସ୍କୋର ଏହି ମ୍ୟାଚରେ ଦେଖିବାକୁ ମିଳିପାରେ ବୋଲି ଦର୍ଶକ ଆଶା ରଖିଛନ୍ତି ।