କରୋନା ଭୟ ଯୋଗୁଁ ଆଇପିଏଲକୁ ନେଇ ବଢ଼ିଲା ସନ୍ଦେହ । ଚଳିତ ବର୍ଷ ହେବ କି ନାହିଁ ମ୍ୟାଚ୍ ?

999

କନକ ବ୍ୟୁରୋ : ଆଇପିଏଲକୁ କରୋନା ଅଡୁଆ । ଆସନ୍ତା ୨୯ ତାରିଖରେ ଆଇପିଏଲର ଚଳିତ ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଖେଳାଯିବାକୁ ନେଇ ପ୍ରଶ୍ନ ଉଠିଛି । କାରଣ ସାରା ବିଶ୍ୱରେ କରୋନା ଭୂତାଣୁର ପ୍ରଭାବ ରହିଥିବାରୁ ଆଇପିଏଲକୁ କରୋନା ବାଟ ଓଗାଳିବାର ଆଶଙ୍କା ସୃଷ୍ଟି ହୋଇଛି । ମହାରଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କରୋନାକୁ ଦୃଷ୍ଟିରେ ରଖି ବଡ ସାମାବେଶ ସପକ୍ଷରେ ନାହାନ୍ତି । ସେପଟେ ବିସିସିଆଇ ସଭାପତି କହିଛନ୍ତି, କରୋନାକୁ ନେଇ ଭୟ ନାହିଁ ।

ସନ୍ଦେହରେ ଆଇପିଏଲ ୨୦୨୦ । ଚଳିତ ବର୍ଷ ହେବ କି ନାହିଁ ମ୍ୟାଚ ? ସାରା ବିଶ୍ୱରେ କରୋନା ଭୂତାଣୁର ପ୍ରଭାବ ଦେଖି ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହି ଚର୍ଚ୍ଚାରେ ଅଧିକ ଖୋରାକ ଯୋଗାଇଛି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ । ସେ କହିଛନ୍ତି, ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଜମା ହେଲେ ସଂକ୍ରାମକ ରୋଗର ଭୟ ବଢିଥାଏ । ତେଣୁ ଆଇପିଏଲ ପରି ଏକ ଖେଳର ଆୟୋଜନ ପରବର୍ତ୍ତୀ ସମୟରେ କରାଯାଇପାରିବ । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଭାରତର ଏହି ଲୋକପ୍ରିୟ ସିରିଜର ଆୟୋଜନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଆସନ୍ତା ୨୯ ତାରିଖରେ ଆଇପିଏଲର ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ । କ୍ରୀଡାସୂଚୀ ଅନୁସାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିଅମରେ ଏହି ମ୍ୟାଚ ଅନୁଷ୍ଟିତ ହେବ ।

ସେପଟେ ଦୁଇ ଦିନ ତଳେ ଆଇପିଏଲ ଆୟୋଜନ ନେଇ ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଥିଲେ, ଆଇପିଏଲ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ ଏବଂ କରୋନା ଭାଇରସ ମୁକାବିଲା ନେଇ ସରକାର ସହ ବିସିସିଆଇ ଯୋଗାଯୋଗରେ ରହିଛି । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୌରଭ କହିଥିଲେ ।

ଆସନ୍ତା ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ ଆରମ୍ଭ ହେଉଛି । ଏଥିପାଇଁ ଭାରତରେ ପହଂଚି ସାରିଲେଣି ଦକ୍ଷିଣ ଆଫ୍ରିକା । ତେଣୁ ଆଇପିଏଲ ମଧ୍ୟ ଆୟୋଜିତ ହେବା ସମ୍ଭାବନା ରହିଥିବା କୁହାଯାଉଛି ।

ଚୀନରେ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭୂତାଣୁର ସଂକ୍ରମଣ ପ୍ରାୟ ଶହେଟି ଦେଶକୁ ବ୍ୟାପିଥିବା ବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଅନ୍ୟପଟେ ଆଗକୁ ଜାପାନରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସର ଆୟୋଜନ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଆଇପିଏଲ ଆୟୋଜନ ନେଇ ମଧ୍ୟ ସନ୍ଦେହ ଲାଗି ରହିଛି ।