କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବାକୁ ଯାଉଛି ଆଇପିଏଲ୍ ଖେଳାଳି ନିଲାମୀ ପ୍ରକ୍ରିୟା । ତେବେ ଏହା ପୂର୍ବରୁ ଏବେ ଚାଲିଛି ଖେଳାଳିମାନଙ୍କର ରିଟେନସନ୍ । ନଭେମ୍ବର ୨୬ ତାରିଖ ଖେଳାଳି ରିଟେନସନର ଶେଷ ତାରିଖ ଥିବାବେଳେ, ଏବେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବଡ ଅପଡେଟ୍ ।

Advertisment

ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସଙ୍କୁ ନିଲାମକୁ ଛାଡିନାହିଁ । କାଉଣ୍ଟି କ୍ରିକେଟ୍ ଖେଳି ଆହତ ହେଇଥିବା ସତ୍ତେ୍ୱ ଟିମ୍ ମ୍ୟାନେଜମେଣ୍ଟ ପୃଥ୍ୱୀଙ୍କ ଉପରେ ଭରସା ରଖିଛନ୍ତି । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ କିନ୍ତୁ ନିଜ ଟିମର ଷ୍ଟାର ଅଲରାଉଣ୍ଡର ସାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍ କରିଦେଇଛି । ଯାହାଦ୍ୱାରା କି କେକେଆରର ପର୍ସରେ ଏବେ ୧୦.୭୫ କୋଟି ଟଙ୍କା ଜମା ହେଇଛି । ୨୦୨୩ ମସିହାରେ ସାର୍ଦ୍ଦୁଲଙ୍କୁ ୧୦.୭୫ କୋଟି ଟଙ୍କା ଦେଇ କିଣିଥିଲା କେକେଆର୍ । ଅନ୍ୟପଟେ ପୃଥ୍ୱୀ ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଖରେ ରଖିଥିଲେ ବି ସର୍ଫରାଜ ଖାନ୍ ଏବଂ ଅନୁଭବୀ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ସେହିପରି ଆରସିବି ଏବଂ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ନିଜ ନିଜ ଭିତରେ ଖେଳାଳି ଅଦଳବଦଳ କରିଛନ୍ତି । ଆରସିବି ଦଳରେ ଥିବା ଶାହାବାଜ ଅହମ୍ମଦ ଏବେ ହାଇଦ୍ରାବାଦ୍ ଏବଂ ମୟଙ୍କ ଡାଗର ଏବେ ଆରସିବି ଜର୍ସିରେ ନଜର ଆସିବେ ।

ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଆଗାମୀ ଆଇପିଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ଏଥର ରାଜସ୍ଥାନ ରୟାଲ୍ସ ସହ ରହିବେ ନାହିଁ । ସେହିପରି ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ଟିମକୁ ଫେରିବା ଏକପ୍ରକାର ପକ୍କା । ତେବେ ତାଙ୍କ ବଦଳରେ ଗୁଜରାଟ କେଉଁ ଖେଳାଳିଙ୍କୁ ନେଉଛି ନା ନିଜ ପର୍ସରେ ଟଙ୍କା ଜମା କରୁଛି ତାହା ଦେଖିବାକୁ ବାକି ରହିଲା ।