ରୋହିତ ସମ୍ପର୍କରେ ପ୍ରଶ୍ନ କଲେ ସାମ୍ବାଦିକ । ପଚାରିଲେ, କାହିଁକି ରୋହିତଙ୍କ ପାଖରୁ ହଟାଗଲା ଅଧିନାୟକ ଦାୟିତ୍ୱ? ମୁହଁ ଖୋଲିଲେନି ହାର୍ଦ୍ଦିକ ପାଣ୍ଡ୍ୟା ।

489

କନକ ବ୍ୟୁରୋ: ରୋହିତଙ୍କ ସମ୍ପର୍କରେ ପଚାରିବାରୁ ଚୁପ୍ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମାର୍କ ବାଉଚର । ଏକ ପ୍ରେସମିଟରେ ସାମ୍ବାଦିକ ରୋହିତ ଶର୍ମାଙ୍କଠାରୁ କାହିଁକି ଅଧିନାୟକ ଦାୟିତ୍ୱ ଫେରାଇ ନିଆଗଲା ବୋଲି ପ୍ରଶ୍ନ କରିବାରୁ, ଏହାର ଉତ୍ତର ନଦେଇ ଚୁପ୍ ରହିଛନ୍ତି ପାଣ୍ଡ୍ୟା ଓ ମାର୍କ ବାଉଚର ।

ଆଉ କିଛି ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଅଛି । ଏଥର ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିବେ । ରୋହିତଙ୍କଠାରୁ ଟିମ୍ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ୱ ନେଇ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦେଇଛି । ତେବେ ଅଧିନାୟକ ଦାୟିତ୍ୱ ମିଳିବା ପରେ ପ୍ରଥମଥର ପାଇଁ ପ୍ରେସ୍ କନଫରେନ୍ସ କରିଥିଲା ଦଳ । ଏହି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ – କେଉଁ କାରଣ ପାଇଁ ରୋହିତ ଶର୍ମାଙ୍କଠାରୁ ମ୍ୟାନେଜମେଣ୍ଟ ଅଧିନାୟକ ଦାୟିତ୍ୱ ଛଡେଇ ନେଇ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରିବାର ନିଷ୍ପତ୍ତି ନେଲା?

ଏହି ପ୍ରଶ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ଚୁପ୍ ରହିଥିଲେ ଆଉ କୌଣସି ବି ଉତ୍ତର ଦେଇନଥିଲେ । ତାଙ୍କ ସହିତ ଦଳର ହେଡ୍ କୋଚ୍ ମାର୍କ ବାଉଚର ମଧ୍ୟ ଏ ସମ୍ପର୍କରେ ଉତ୍ତର ରଖିବାକୁ ମନା କରିଥିଲେ । ତେବେ ଦଳ ସମ୍ପର୍କିତ ଅନ୍ୟ ପ୍ରଶ୍ନରେ ପାଣ୍ଡ୍ୟା କହିଥିଲେ ଯେ, ମାର୍ଚ୍ଚ ୧୮ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଭ୍ୟାସ ଆରମ୍ଭ କରିବ । ଯଦି ତାଙ୍କୁ କିଛି ବି ସାହାଯ୍ୟ ଦରକାର ପଡିବ, ତେବେ ସେ ନିଶ୍ଚୟ ରୋହିତଙ୍କ ସାହାଯ୍ୟ ନେବେ ବୋଲି କହିଛନ୍ତି ପାଣ୍ଡ୍ୟା ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ । ପ୍ରଥମ ପର୍ଯ୍ୟାୟରେ କେବଳ ୨୧ଟି ମ୍ୟାଚର ସିଡ୍ୟୁଲ ପ୍ରକାଶ ପାଇଛି । ୧୭ ଦିନ ଭିତରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ । ଯାହାର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ ।