କନକ ବ୍ୟୁରୋ: ଆଇପିଏଲକୁ ନେଇ ଏବେଠୁ ଉତ୍ସାହିତ ହେଲେଣି ଦର୍ଶକ । ଖେଳାଳିମାନଙ୍କର ମିନି ନିଲାମ ସରିବା ପରେ, ମ୍ୟାଚ୍ ଦେଖିବାକୁ ଅନେଇ ବସିଛନ୍ତି ପ୍ରତିଟି ଦଳର ଫ୍ୟାନ୍ସ । ଆଉ ଏହାରି ଭିତରେ ଆଇପିଏଲକୁ ଆସିଛି ଏକ ବଡ ଖବର । ଏଣିକି ଆଉ ପଇସା ଦେଇ ନୁହେଁ, ବରଂ ମାଗଣାରେ ଆଇପିଏଲ୍ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

Advertisment

ମୋବାଇଲ୍ ସାହାଯ୍ୟରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ପୂର୍ବରୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏଥିପାଇଁ ଡିଜନୀ ପ୍ଲସ୍ ହଟଷ୍ଟାର ଆପକୁ ସବସ୍କ୍ରାଇବ କରିବା ସହିତ ଏଥିପାଇଁ ଟଙ୍କା ମଧ୍ୟ ଦେବାକୁ ପଡୁଥିଲା । ହେଲେ ଚଳିତ ବର୍ଷ ମୋବାଇଲରେ ମ୍ୟାଚ୍ ଦେଖିବାକୁ ଆଉ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡିବନି, କି ଖର୍ଚ୍ଚାନ୍ତ ହେବାକୁ ବି ପଡିବନି । ବରଂ ମାଗଣାରେ ଆଇପିଏଲର ସମସ୍ତ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

ଏ ବର୍ଷ ଡିଜିଟାଲ ପ୍ଲାଟଫର୍ମରେ ଆଇପିଏଲର ସିଧାପ୍ରସାରଣ କରିବ ଜିିଓ ସିନେମା ଆପ୍ । ତେଣୁ ଯେଉଁ ମୋବାଇଲ୍ ୟୁଜର୍ସମାନେ ଜିଓ ସିମ୍ ୟୁଜ୍ କରୁଛନ୍ତି, ସେମାନେ ଏହି ଆପ୍ ପାଇଁ ଆଉ ଅଲଗା ଟଙ୍କା ଦେବାକୁ ପଡିବନି । ତେଣୁ ଜିଓ କଲ୍ ଆଉ ଡାଟା ରିଚାର୍ଜ ସହିତ ୟୁଜର୍ସମାନେ ମାଗଣାରେ ଆଇପିଏଲ୍ ମ୍ୟାଚର ମଧ୍ୟ ମଜା ଉଠାଇପାରିବେ ।

ଡିଜିଟାଲ ପ୍ଲାଟଫର୍ମରେ ଆଇପିଏଲର ମାଗଣା ସିଧାପ୍ରସାରଣ ହେବା ସହିତ, ଚଳିତ ବର୍ଷ ୧୧ଟି ଭିନ୍ନ ଭିନ୍ନ ଭାଷାରେ ମ୍ୟାଚର କମେଣ୍ଟ୍ରି ମଧ୍ୟ ହେବ । ପୂର୍ବରୁ କେବଳ ହିନ୍ଦୀ, ଇଂରାଜୀ, ତାମିଲ୍, ତେଲୁଗୁ ଭଳି ୫ଟି ଭାଷାରେ କମେଣ୍ଟ୍ରି ହେଉଥିବାବେଳେ, ଚଳିତ ବର୍ଷଠାରୁ ଭୋଜପୁରୀ, ପଞ୍ଜାବୀ ଏବଂ ବଙ୍ଗାଳୀ ଭାଷାକୁ ମିଶାଇ ମୋଟ ୧୧ଟି ଭାଷାରେ ଆଇପିଏଲ୍ କମେଣ୍ଟ୍ରି ଦେଖିବାକୁ ମିଳିବ । ତେଣୁ ଅଧିକ ଲୋକ ନିଜ ନିଜ ଭାଷାରେ କମେଣ୍ଟ୍ରି ଶୁଣିବା ସହିତ ଆଇପିଏଲ ସହ ଯୋଡି ହେବେ ବୋଲି କୁହାଯାଉଛି ।

ଚଳିତବର୍ଷଠାରୁ ଆଇପିଏଲର ଟିଭି ପ୍ରସାରଣ ଓ ଡିଜିଟାଲ ପ୍ରସାରଣ ଅଲଗା ଅଲଗା କମ୍ପାନୀକୁ ଦିଆଯାଇଛି । ଟିଭିରେ ଆଇପିଏଲର ମିଡିଆ ରାଇଟ୍ସ ଷ୍ଟାର ସ୍ପୋର୍ଟସ ପାଖରେ ଥିବାବେଳେ, ଆଇପିଏଲ୍ ଡିଜିଟାଲ୍ ମିଡିଆ ରାଇଟ୍ସ ଭାୟାକମ୍ ୧୮ ପାଖରେ ରହିଛି । ଷ୍ଟାର ସ୍ପୋର୍ଟସ ଚଳିତବର୍ଷ ଆଇପିଏଲ ମିଡିଆ ରାଇଟ୍ସକୁ ୪୪ ହଜାର ୭୫ କୋଟି ଟଙ୍କା ଦେଇ କିଣିଥିବାବେଳେ, ଭାୟାକମ୍ ୧୮ କମ୍ପାନୀ – ୨୦ ହଜାର ୫୦୦ କୋଟି ଟଙ୍କା ଦେଇ ଆଇପିଏଲର ଡିଜିଟାଲ ମିଡିଆ ରାଇଟ୍ସ କିଣିଛି । ତେଣୁ ମାଗଣାରେ ଆଇପିଏଲ୍ ଷ୍ଟ୍ରିମିଂ ହେଲେ ଚଳିତବର୍ଷ ଆଇପିଏଲ ଦର୍ଶକଙ୍କ ସଂଖ୍ୟା ୫ ଶହ ମିଲିୟନ୍ ଟପିବ ବୋଲି ଆଶା କରାଯାଉଛି ।

ଆଇପିଏଲ ୨୦୨୩ ପାଇଁ ଖେଳାଳି ମାନଙ୍କର ମିନି ନିଲାମ ଶେଷ ହୋଇସାରିଛି । ନିଲାମରେ ସାମ୍ କରନ୍, ବେନ୍ ଷ୍ଟୋକସଙ୍କ ଭଳି ଖେଳାଳି ଧମାଲ ମଚାଇଥିବାବେଳେ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଷ୍ଟାର ପ୍ଲେୟାରଙ୍କୁ ନିଜ ଦଳରେ ସାମିଲ କରିଛନ୍ତି । ତେଣୁ ସବୁଥର ଅପେକ୍ଷା ଚଳିତ ଥର ଆଇପିଏଲ୍ ଅଧିକ ରୋମାଞ୍ଚକର ଆଉ ଅଧିକ ଦର୍ଶକଙ୍କ ହୃଦୟ ଜିିତିବ ବୋଲି ଅନୁମାନ କରାଯାଉଛି ।