ଚେନ୍ନାଇକୁ ମିଳିଲା ୨୦ କୋଟି । ଗୁଜରାଟକୁ ୧୨ କୋଟି ୫୦ ଲକ୍ଷ । ଆଇପିଏଲରୁ ମାଲାମାଲ ହେଲେ ଏହି ସବୁ ଖେଳାଳି ।

3,836

କନକ ବ୍ୟୁରୋ: ଶେଷ ହୋଇଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ସୋମବାର ଚେନ୍ନାଇ ସୁପର କିଙ୍ଗସ୍ ଚାମ୍ପିୟନ୍ ହେବା ସହିତ ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗର ୧୬ ନମ୍ବର ସିଜିନ୍ ଶେଷ ହୋଇଛି । ଫାଇନାଲ ମ୍ୟାଚରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ୫ ୱିକେଟରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସଙ୍କୁ ପରାସ୍ତ କରି, ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି । ଅନ୍ୟପଟେ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ହେବାକୁ ଲକ୍ଷ୍ୟ ରଖିଥିବା ଗୁଜରାଟ ପୁଣିଥରେ ଟ୍ରଫି ହାସଲ କରିପାରିନି । ତେବେ ଫାଇନାଲ ମ୍ୟାଚ୍ ହାରିଥିଲେ ବି, ରନର୍ସ ଅପ୍ ଟିମ୍ ଗୁଜରାଟ ଟାଇଟନ୍ସ ୧୨ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର ଜିତିଛି । ଯାହାକି ବିଶ୍ୱର ଅନ୍ୟ କ୍ରିକେଟ ଲିଗର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ।

ଆଇପିଏଲ୍ ଫାଇନାଲ ମ୍ୟାଚ୍ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁରସ୍କାର ବାବଦରେ ଚେକ୍ ଦେଇଥିଲେ ବିସିସିଆଇ ସଭାପତି ରୋଜର ବିନ୍ନି ଆଉ ସମ୍ପାଦକ ଜୟ ଶାହା । ଆଇପିଏଲ୍ ଚାମ୍ପିୟନ୍ ହେଇଥିବାରୁ ଚେନ୍ନାଇ ସୁପର କିଙ୍ଗସକୁ ଟ୍ରଫି ସହିତ ଏହି ୨୦ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସେହିପରି ଆଇପିଏଲ୍ ଫାଇନାଲ ହାରି ରନର୍ସ ଅପ୍ ହେଇଥିବା ଗୁଜରାଟ ଟାଇଟନ୍ସ ଦଳକୁ ମିଳିଛି ୧୨ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର । ଯାହାକି ଅନ୍ୟ ଲିଗର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ଅଟେ ।
ଚେନ୍ନାଇ ସୁପର କିଙ୍ଗସ୍ ଆଉ ଗୁଜରାଟ ଟାଇଟନ୍ସ ସହିତ ପ୍ଲେ ଅଫକୁ କ୍ୱାଲିଫାଏ କରିଥିବା ଅନ୍ୟ ଦୁଇଟି ଟିମକୁ ମଧ୍ୟ ପୁରସ୍କାର ଦେଇଛି ବିସିସିଆଇ । ପ୍ଲେ-ଅଫ୍ ୨ ହାରି ତୃତୀୟ ସ୍ଥାନରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ପୁରସ୍କାର ବାବଦରେ ୭ କୋଟି ଟଙ୍କା ଏବଂ ଏଲିମିନେଟର ହାରି ଚତୁର୍ଥ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ୬ କୋଟି ୫୦ ଲକ୍ଷ ଟଙ୍କା ପୁରସ୍କାର ଦେଇଛି ବିସିସିଆଇ ।

ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଟି-୨୦ ଲିଗ୍ ଖେଳାଯାଇଥାଏ । ହେଲେ ଏହି ସବୁ କ୍ରିକେଟ୍ ଲିଗର ପ୍ରାଇସ୍ ମନିଠାରୁ ଆଇପିଏଲର ପ୍ରାଇସ୍ ମନିଠାରୁ ଢେର ଗୁଣ ଅଧିକ ଅଟେ । ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ଚାମ୍ପିୟନ ଟିମକୁ ୧୫ କୋଟି ଦିଆଯାଉଥିବାବେଳେ, କାରବିଆନ୍ ପ୍ରିମିୟର ଲିଗରେ ଚାମ୍ପିୟନ୍ ଦଳକୁ ୮ କୋଟି ୧୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଏ । ସେହିପରି ପାକିସ୍ତାନରେ ଖେଳାଯାଉଥିବା ପିଏସଏଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ଟିମକୁ ମାତ୍ର ୩ କୋଟି ୪୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥାଏ । ହେଲେ ଆଇପିଏଲରେ ଚତୁର୍ଥ ସ୍ଥାନରେ ରହୁଥିବା ଟିମକୁ ବି ୬ କୋଟି ୫୦ ଲକ୍ଷ ଟଙ୍କା ମିଳୁଥିବାବେଳେ, ଚାମ୍ପିୟନ ଟିମକୁ ମିଳିିଥାଏ ୨୦ କୋଟି ଟଙ୍କା ପୁରସ୍କାର ।

ଆଇପିଏଲ୍ କେବଳ ଟିମ୍ ମାନଙ୍କୁ ପୁରସ୍କାର ଦେଇଛି ତା ନୁହେଁ । ଚାମ୍ପିୟନ୍ ଆଉ ରନର୍ସ ଅପ୍ ଟିମ୍ ସହିତ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ପୁରସ୍କାର ଦିଆଯାଇଛି । ଟୁର୍ଣ୍ଣାମେଂଟର ଇମର୍ଜିଂ ପ୍ଲେୟାର ଭାବେ ଯଶସ୍ୱୀ ଜୟସକୱାଲ ପାଇଛନ୍ତି ୧୦ ଲକ୍ଷ ଟଙ୍କା ପୁରସ୍କାର । ସେହିପରି ଶୁଭମନ୍ ଗିଲ ଅରେଞ୍ଜ କ୍ୟାପ୍ ସହିତ ଗେମ୍ ଚେଞ୍ଜର ଅଫ୍ ଦ ସିଜିନ, ମୋଷ୍ଟ ଭାଲୁଏବୁଲ ପ୍ଲେୟାରର ପୁରସ୍କାର ଜିତିଛନ୍ତି । ଅନ୍ୟପଟେ ଫାଫ୍ ଡୁ ପ୍ଲେସିସ୍ ୨୦ ଲକ୍ଷ ଟଙ୍କା, ରସିଦ ଖାନ୍ ୧୦ ଲକ୍ଷ ଟଙ୍କା ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୧୦ ଲକ୍ଷ ଟଙ୍କା ଜିତିଛନ୍ତି ।