ଏଥର ଆହୁରି ଜମିବ ଆଇପିଏଲ । ଦୁଇଟି ନୂଆ ଟିମ୍ ଭାବେ ସାମିଲ ହେଲେ ଅହମ୍ମଦାବାଦ ଓ ଲକ୍ଷ୍ନୌ ।

373

କନକ ବ୍ୟୁରୋ: ଆସନ୍ତା ବର୍ଷ ଆଇପିଏଲ ଖେଳିବେ ୧୦ଟି ଟିମ୍ । ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍ ଆସନ୍ତାବର୍ଷ ଆଇପିଏଲରେ ସାମିଲ ହେବେ । ଆଜି ଏହି ଦୁଇଟି ନୂଆ ଟିମ୍ ଆଇପିଏଲରେ ସାମିଲ ହେବା ନେଇ ପକ୍କା ହୋଇଛି । ଦୁବାଇରେ ଆୟୋଜିତ ହୋଇଥିବା ନିଲାମ ପ୍ରକ୍ରିୟାରେ ସିବିସି କ୍ୟାପିଟାଲ ଓ ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଏହି ଦୁଇ ଟିମକୁ କିଣିଛନ୍ତି ।

ଚଳିତଥର ୮ଟି ଟିମ୍ ଆଇପିଏଲରେ ଭାଗ ନେଇଥିଲେ । ହେଲେ ଆଗାମୀ ଥର ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇବା ନେଇ ବିସିସିଆଇ ସୂଚନା ଦେଇଥିଲା । ବିସିସିଆଇ ପକ୍ଷରୁ ଦୁଇଟି ନୂଆ ଟିମ୍ କିଣିବା ନେଇ ନିଲାମ ଆହ୍ୱାନ କରାଯାଇଥିଲା । ଯେଉଁଥିରେ ଦେଶର ବିଭିନ୍ନ ବଡ ବଡ ନାମୀଦାମୀ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଆଉ ଏବେ ବିସିସିଆଇ ପକ୍ଷରୁ ଆଇପିଏଲର ଦୁଇ ନୂଆ ଟିମ୍ ନେଇ ଘୋଷଣା କରାଯାଇଛି ।

ଏହି ଦୁଇ ସହରରେ ଦେଶର ଦୁଇଟି ସୁନ୍ଦର ଷ୍ଟାଡିୟମ ରହିଛି । ଅହମ୍ମଦାବାଦରେ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ରହିଥିବାବେଳେ, ଲକ୍ଷ୍ନୌରେ ରହିଛି ଆଉ ଏକ ସୁନ୍ଦର କ୍ରିକେଟ୍ ଷ୍ଟାଡିୟମ । ଯାହାର ନାଁ ହେଉଛି ଅଟଳ ବିହାରୀ ବାଜପେୟୀ ଏକାନ୍ନା କ୍ରିକେଟ୍ ଷ୍ଟାଡିୟମ । ତେଣୁ ଏହି ଦୁଇ ନୂଆ ଟିମ୍ ଆଇପିଏଲରେ ସାମିଲ ହେବା ପରେ ଏହି ଦୁଇ ଷ୍ଟାଡିୟମ ଦୁଇ ଦଳର ହୋମ୍ ଗ୍ରାଉଣ୍ଡ ହେବ ।