କନକ ବ୍ୟୁରୋ : ଆଇପିଏଲର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇପିଏଲ ଅଧ୍ୟକ୍ଷ ବୃଜେଶ ପଟେଲ ନ୍ୟୁଜ ଏଜେନ୍ସୀ ପିଟିଆଇକୁ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୬ ତାରିଖରେ ଆପିଏଲ -୨୦୨୨ ଆରମ୍ଭ ହେବ ଓ ମେ ୨୯ ତାରିଖରେ ଫାଇନାଲ ମୁକାବିଲା ଖେଳାଯିବ । ଆଇପିଏଲର ଲିଗ ରାଉଣ୍ଡ ମ୍ୟାଚ ମହାରାଷ୍ଟ୍ର ଆୟୋଜିତ ହେବ ।

Advertisment

ମୁମ୍ବାଇରେ ୫୫ଟି ମ୍ୟାଚ, ପୁଣେରେ ୧୫ଟି ମ୍ୟାଚ ଖେଳାଯିବ । ପ୍ଲେ-ଅପ ମ୍ୟାଚ ଅହମ୍ମଦାବାଦରେ ହୋଇପାରେ ହେଲେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଚଳିତ ଆଇପିଏଲ ମ୍ୟାଚ ଖାଲି ମୈଦାନରେ ଖେଳାଯିବ ନାହିଁ । ଅର୍ଥାତ୍ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିବ । ଲିଗ୍ ପର୍ଯ୍ୟାୟରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁସାରେ ଷ୍ଟାଡିୟମ କ୍ଷମତାର ୪୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ରହିବେ । ଯଦି ସଂକ୍ରମଣ ନିୟନ୍ତ୍ରଣରେ ରୁହେ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟାଡିୟମର ଶହେ ପ୍ରତିଶତ କ୍ଷମତାରେ ଦର୍ଶକ ଦେଖି ମ୍ୟାଚର ମଜା ନେଇପାରିବେ ।

ଆସନ୍ତା ମାସ ଶେଷ ସପ୍ତାହରେ ମହାରାଷ୍ଟ୍ରରେ ଆଇପିଏଲ୍‌ ଆୟୋଜନ ଲାଗି ବିସିସିଆଇ ପ୍ରସ୍ତୁତ ହେଉଛି । ବୁଧବାର ସ୍ଥାନ ଘୋଷଣା ମଧ୍ୟ କରି ସାରିଛି । ମ୍ୟାଚ୍‌ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ, ବ୍ରାବୋର୍ଣ୍ଣ, ଡିୱାଇ ପାଟିଲ ଏବଂ ପୁଣେର ଗହୁଞ୍ଜେ ଷ୍ଟାଡିୟମରେ ଆୟୋଜନ କରିବାର ଯୋଜନା କରିଛି । ମ୍ୟାଚ୍‌ ସୂଚୀ ପ୍ରସ୍ତୁତ ମଧ୍ୟ ଶେ‌ଷ ପର୍ଯ୍ୟାୟରେ ପହଞ୍ଚିଛି । ‌

ମୁମ୍ବାଇ ଇଣ୍ଡିଆନ୍ସ ପ୍ରାୟ ସମସ୍ତ ମ୍ୟାଚ୍‌ ତା’ଘରୋଇ ପଡ଼ିଆ ୱାଙ୍ଖଡେ ଷ୍ଟାଡିୟମରେ ଖେଳିବାର ସମ୍ଭାବନା ରହିଛି । ଏହାକୁ ନେଇ ଅନ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକ ବି‌ରୋଧ କରିଛନ୍ତି । ସୂଚୀରେ ପରିବର୍ତ୍ତନ ଲାଗି ବିସିସିଆଇ ଉପରେ ଚାପ ମଧ୍ୟ ପକାଯାଉଛି ବୋଲି ଫ୍ରାଞ୍ଚାଇଜ୍‌ ସୂତ୍ରରୁ ସୂଚନା ମିଳୁଛି । କୌଣସି ଦଳକୁ ନିଜ ଘରୋଇ ପଡ଼ିଆରେ ଖେଳିବାକୁ ସୁଯୋଗ ଦିଆଯିବନି ବୋଲି ବିସିସିଆଇ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଅଶ୍ବାସନା ଦେଇଛି ।