ଆଇପିଏଲରେ ଗୋଟିଏ ବି ମ୍ୟାଚ୍ ଖେଳିପାରିଲେନି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଭଉଣୀ ସାରା ତେନ୍ଦୁଲକର କହିଲେ, ଅପନା ଟାଇମ୍ ଆଏଗା…

555

କନକ ବ୍ୟୁୁରୋ: ଆଇପିଏଲର ଲିଗ୍ ପର୍ଯ୍ୟାୟ ଶେଷ ହୋଇସାରିଛି । ଟପ୍-୪ ଟିମ୍ ଏବେ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ହେଲେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ଚଳିତ ଥର ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲଗାତାର ଦୁଇଟି ସିଜିନରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦଳ ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କରିଥିଲେ ବି, ଗୋଟିଏ ମ୍ୟାଚରେ ସୁଯୋଗ ଦେଇନି ।

ଗତବର୍ଷ ୧୦ ଲକ୍ଷ ଟଙ୍କା ଆଉ ଚଳିତ ବର୍ଷ ୨୦ ଲକ୍ଷ ଟଙ୍କା ଦେଇ ଅର୍ଜୁନ ତେନ୍ଦୁଲକରଙ୍କୁ ନିଜ ଦଳରେ ସାମିଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ଆଇପିଏଲ ଡେବ୍ୟୁ କରିବା ସ୍ୱପ୍ନ , ସେହି ସ୍ୱପ୍ନରେ ହିଁ ରହିଯାଇଛି । ଆଉ ଏହାକୁ ଦେଖି ଏବେ ଅର୍ଜୁନଙ୍କ ଭଉଣୀ ସାରା ତେନ୍ଦୁଲକର ତାଙ୍କ ଭାଇର ସାହାସ ବଢାଉଛନ୍ତି ।ମୁମ୍ବାଇର ଶେଷ ଲିଗ୍ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଖେଳାଳିମାନଙ୍କୁ ପାଣି ବାଣ୍ଟୁଥିବା ବେଳର ଏକ ଫଟୋ ସେୟାର କରି, ସାରା ତେନ୍ଦୁଲକର ତାଙ୍କ ଭାଇଙ୍କୁ ସାହାସ ଦେଇଛନ୍ତି । ଆଉ ଏହି ଫଟୋରେ ସେ ଫିଲ୍ମ ‘ଗଲିବୟ’ର ଗୀତ ‘ଅପନା ଟାଇମ୍ ଆଏଗା’ ମଧ୍ୟ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇପିଏଲର ଅଧିକାଂଶ ଦଳ ଏଥର ଅନେକ ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲେ । ଅନେକ ନୂଆ ଖେଳାଳି ମଧ୍ୟ ଏଥର ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିିଲେ । ହେଲେ ମୁମ୍ବାଇ ଦଳରେ ଥିବା ଅର୍ଜୁନ ତେନ୍ଦୁଲକର କିନ୍ତୁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରିନାହାଁନ୍ତି ।